ଆଇଆଇଟି ଷଷ୍ଠ ସମାବର୍ତ୍ତନ ଉତ୍ସବ: ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରାକୁ ସାକାର କରନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ ଦେଶର ସମାଜ ସେବା ପାଇଁ କାମ କରନ୍ତୁ -ରାଷ୍ଟ୍ରପତି
ଭୁବନେଶ୍ୱର: ଭୁବନେଶ୍ୱର ଅରଗୁଳ କ୍ୟାମ୍ପସ ଠାରେ ଆଇଆଇଟି ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଆଇଆଇଟି ଛାତ୍ରଛାତ୍ରୀ ମାନଙ୍କୁ ସମାଜ ସେବା କରିବା ସହ ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରାକୁ ସାକାର କରନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ ଦେଶର ସମାଜ ସେବା ପାଇଁ କାମ କରନ୍ତୁ ବୋଲି ଶ୍ରୀ କୋବିନ୍ଦ ଆହ୍ୱାନ କରିଛନ୍ତି। ଶ୍ରୀ କୋବିନ୍ଦ ଉଦବୋଧନ ଦେଇ କହିଛନ୍ତି ଯେ ଜଣେ ଆଇଆଇଟିଆନ ଭାବେ ଦେଶପ୍ରତି ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ନିଜ ପାଇଁ ବା ପରିବାର ପାଇଁ ନୁହେଁ, ସମାଜ ପାଇଁ କାମ କରିବା ଦରକାର। ଏଥିସହ ନିଜ ସ୍ୱତନ୍ତ୍ରତା ଦ୍ୱାରା ଦେଶ ଓ ଜାତିର ସେବା କରିବାକୁ ସେ ନିଜ ଅଭିଭାଷଣରେ କହିଛନ୍ତି। ଶ୍ରୀ କୋବିନ୍ଦ ନିଜ ଅଭିଭାଷଣ ଆରମ୍ଭରେ କହିଥିଲେ, ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ଶିକ୍ଷାନୁଷ୍ଠାନ ଇତିହାସମୟ ବରୁଣେଇ ପାହାଡ଼ ଉପରେ ଅବସ୍ଥିତ। ୨୦୦ ବର୍ଷ ପୂର୍ବ ପାଇକ ବିଦ୍ରୋହ ଗାଥା ଓ ୧୮୧୭ ମସିହାରେ ଘଟିଥିବା ଏହି ବିଦ୍ରୋହର ନେତା ବକ୍ସି ଜଗବନ୍ଧୁ ଉପରେ କହିବା ସହ ୧୮୫୭ ସିପାହୀ ବିଦ୍ରୋହ ଠାରୁ ଏହି ସ୍ୱାଧୀନତା ସଂଗ୍ରାମ ଯଥେଷ୍ଟ ଶକ୍ତିଶାଳି ଥିଲା ବୋଲି ଶ୍ରୀ କୋବିନ୍ଦ କହିଥିଲେ। କ୍ରମେ ଶ୍ରୀ କୋବିନ୍ଦ କହିଥିଲେ ଯେ ଆଇଆଇଟିର ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରାକୁ ସାକାର କରନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ ଦେଶର ସମାଜ ସେବା ପାଇଁ କାମ କରନ୍ତୁ। ଏହି ଶିକ୍ଷାନୁଷ୍ଠାନରର ୮୦ ପ୍ରତିଶତ ପିଲା ଚାକିରି ପାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଆଗକୁ ଏହି ଅନୁଷ୍ଠାନର ଛାତ୍ରମାନେ ଅନେକ ସୁଯୋଗ ପାଆନ୍ତୁ ବୋଲି ମତବ୍ୟକ୍ତ କରିଥିଲେ ରାଷ୍ଟ୍ରପତି।
ଏହି ସମାରୋହରେ ଶ୍ରୀ କୋବିନ୍ଦ ସ୍କିଲ୍ ଡେଭଲପମେଂଟ୍ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ସ୍ଥାୟୀ ନୂଆ ୨ଟି କ୍ୟାମ୍ପସର ଶିଳାନ୍ୟାସ କରିଥିଲେ। ନିଜର ଅଭିଭାଷଣ ଶେଷ କରିବା ପୂର୍ବରୁ ରାଷ୍ଟ୍ରପତି ଦକ୍ଷତା ବିକାଶ ପ୍ରତିଷ୍ଠାନ ସ୍ଥାପନ ଦିଗରେ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଡା.ସତ୍ୟ ପାଲ ସିଂହ, ରାଜ୍ୟପାଳ ଏସସି ଜମିର ଆଇଆଇଟି କ୍ୟାମ୍ପସର, କୁଳପତି ପ୍ରମୁଖ ଉପସ୍ଥିତ ଥିଲେ।
