ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପ୍ରସଂଗ । ଏହି ପ୍ରସଂଗରେ ଆଜି ପୁଣି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପିଡିତାଙ୍କ ଫରେନ୍ସିକ ରିପୋର୍ଟକୁ ନେଇ ଉଠିଛି ସବୁଠୁ ବଡ ପ୍ରଶ୍ନ । ଏମିତିକି ଫରେନସିକ ରିପୋର୍ଟ ବଦଳିଯିବା ନେଇ ଅଭିଯୋଗ ଆସିବା ବିରୋଧୀ ସରକାରଙ୍କୁ ଆକ୍ଷେପ ଆରମ୍ଭ କରିଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଆଉ ଶାସକ ଦଳର ଯୁକ୍ତି ଘଟଣାରେ ନ୍ୟାୟିକ ତଦନ୍ତ ଚାଲିଛି ସତ ନିଶ୍ଚୟ ପଦାକୁ ଆସିବ । କମୁନି କୁନ୍ଦୁଲି ତାତି । କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୈତିକ ଆରୋପ ପତ୍ୟାରୋପ ତାତିବାରେ ଲାଗିଛି। ବିଶେଷ କରି ପୀଡିତାଙ୍କ ପ୍ରାଥମିକ ଫରେନସିକ ରିପୋର୍ଟକୁ ବଦଳାଯାଇଥିବା ନେଇ ଚର୍ଚ୍ଚା ହେବା ଓ ଫରେନିସକ ବିଭାଗ ତାକୁ ନେଇ ସଫେଇ ଦେବା ପରେ ବିରୋଧୀ ସରକାରଙ୍କୁ ବାଣ ପରେ ବାଣ ପେଷିବାରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଅଭିଷାପ ପଡ଼ିବ, ରାଜ୍ୟ ସରକାର ମାମଲା ତଦନ୍ତ ସିବିଆଇକୁ ଦେବାକୁ ସେ ଦାବି କରିଛନ୍ତି। ସେପଟେ ବରିଷ୍ଟ ବିଜେପି ନେତା ବିଜୟ ମହାପାତ୍ରଙ୍କ ଯୁକ୍ତି ଯେହେତୁ ଏଥିରେ କେନ୍ଦ୍ର ଅର୍ଦ୍ଧ ସାମରିକ ବାହାନୀ ବିରୋଧରେ ଅଭିଯୋଗ ରହିଛି ତେଣୁ କେନ୍ଦ୍ର ସରକାର ନିଜ ଆଡୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । କଂଗ୍ରେସ ବି ସମାନ ପ୍ରସଂଗ ଉଠାଇଛି । ରାଜନୈତିକ ଚାପରେ ଫରେନସିକ୍ ଲାବ ରିପୋର୍ଟକୁ ପରିବର୍ତ୍ତନ କରାଯାଇଛି ବୋଲି କଂଗ୍ରେସ କହିଛି। ସେପଟେ ସରକାରି ଦଳ ବିରୋଧୀଙ୍କ ଆରୋପର ଜବାବ ରଖି ପୁଣି ସେହି ପୁରୁଣା କଥା ଦୋହରାଇଛି । କ୍ଷମତାର ମଦମସ୍ତରେ କିଏ ବିଭୋର, ସେକଥା ଜନସାଧାରଣ ଜାଣିଛନ୍ତି । କୁନ୍ଦୁଲି ଘଟଣାରେ ସମସ୍ତଙ୍କ ସମବେଦନା ରହିଛି । ନ୍ୟାୟିକ ତଦନ୍ତ ଚାଲୁ ରହିଛି ସବୁ ସତ ସାମ୍ନାକୁ ଆସିବ ବୋଲି କହିଛି ବିଜେଡି ।କୁନ୍ଦୁଲି ପିଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ବିରୋଧୀ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ଇସ୍ତଫା ଦାବି କରୁଛନ୍ତି । ତେବେ ସରକାରଙ୍କ ଆଭିମୁଖ୍ୟ କଣ ହେଉଛି ଏବେ ତାହା ଉପରେ ନଜର ।
