ନୂଆଦିଲ୍ଲୀ: ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟର ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ ଆଜି ଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରିଛି। ସନ୍ଦିଗ୍ଧ ଜଣକ କେରଳ କନ୍ନୁରର ଶାହାଜାହାନ ଭେଲ୍ଲଭା କାଣ୍ଡି(୩୨) ବୋଲି ଜଣାପଡ଼ିଛି। ଦିଲ୍ଲୀରୁ ସେ ସିରିଆ ଯିବା ପାଇଁ ଯୋଜନା କରୁଥିବା ନେଇ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଭାରତୀୟ ଗୁଇନ୍ଦାକୁ ସୂଚନା ପ୍ରଦାନ କରିବା ପରେ ତାକୁ ଗିରଫ କରାଯାଇଛି। ତା ନିକଟରୁ ନକଲି ପାସ୍ପୋର୍ଟ ଜବତ କରାଯାଇଛି। ଏହାସହ ସ୍ପେସାଲ ସେଲ ତାର ମୋବାଇଲ ଫୋନରୁ ଶତାଧିକ ଆଇଏସ୍ ସମର୍ଥକଙ୍କ ଟେଲିଗ୍ରାମ ଆଇଡି ମଧ୍ୟ ପାଇଛନ୍ତି। ଟେଲିଗ୍ରାମ ଆପ୍ ମାଧ୍ୟମରେ ସେ ଭାରତ ଓ ସିରିଆର ଅନେକ ଆଇଏସ୍ ସମର୍ଥକଙ୍କ ସହ ଯୋଗାଯୋଗରେ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଅଧିକ ତଦନ୍ତ ପାଇଁ ମୋବାଇଲ ଫୋନର ଡାଟାକୁ ଯାଞ୍ଚ କରାଯାଉଛି। ତାକୁ ନକଲି ପାସ୍ପୋର୍ଟ ଯୋଗାଇ ଦେଇଥିବା ଟ୍ରଭେଲ ଏଜେଣ୍ଟକୁ ଖୋଜିବା ପାଇଁ ତଲାସୀ ଆରମ୍ଭ ଦୋଇଛି। ଏଜେଣ୍ଟକୁ ଠାବ କରିବା ପାଇଁ ସ୍ପେସାଲ ସେଲ୍ର ଏକ ଦଳ ଚେନ୍ନାଇ ଯାତ୍ରା କରିଛି। ପୂର୍ବରୁ ଫେବୃଆରିରେ ସେ ନକଲି ପାସ୍ପୋର୍ଟ ମାଧ୍ୟମରେ ତୁର୍କୀରୁ ସିରିଆ ଯାଉଥିବା ବେଳେ ତାକୁ ତୁର୍କୀ ବିମାନବନ୍ଦରରେ ଗିରଫ କରାଯାଇଥିଲା।
