ବିଜେଡିରେ ଘର ବାହୁଡା : ରଘୁ ପରେ କିଏ ?

ଭୁବନେଶ୍ବର: ଘର ସଜାଡିବା ଆରମ୍ଭ କଲାଣି ବିଜେଡି  । ୨୦୧୯ ପୂର୍ବରୁ ଦଳର ସ୍ଥିତିକୁ ମଜଭୁତ କରିବାକୁ କିଛି ଦଳଛଡା ଓ ଦଳରୁ ବିଦା ହୋଇଥିବା ନେତା ବିଜେଡିକୁ ଫେରିବେ । ତେବେ କିଏ ଫେରିଲେ ଦଳ ଲାଭରେ ରହିବ ସେନେଇ କେସ୍ ଟୁ କେସ୍ ବିଚାର ଆରମ୍ଭ ହୋଇଥିବା କୁହାଯାଉଛି । ରଘୁ ମହାନ୍ତି, ପ୍ରଭାତ ତ୍ରିପାଠୀଙ୍କ ପରେ ଏବେ ଆଉ କିଛି ବଡ ନେତାଙ୍କ ନାଁକୁ ନେଇ ଚର୍ଚା ଆରମ୍ଭ ହୋଇଛି । ଦଳ କହିଛି ଯିଏ ଲୋକ ସଂପର୍କ ଓ ଦଳୀୟ ସଂଗଠନକୁ ଧରି ରଖିଛନ୍ତି ସେମାନଙ୍କ ଚାନସ୍ ଅଧିକ ।

ରଘୁ ମହାନ୍ତି ଫେରିଲେ ।ଏବେ କାହା ପାଳି । ଆଉ କେଉଁ ବିତାଡିତ ନେତା ଦଳକୁ ଫେରିବେ ସେନେଇ ଚାଲିଛି ତର୍ଜମା ।  ତାଲିକାରେ ପ୍ରଫୁଲ୍ଲ ଘଡାଇ,  ବିଜୟ ମହାପାତ୍ର, ଦିଲ୍ଲୀପ ରାୟ,  ପଞ୍ଚାନନ କାନୁନଗୋ, କମଳା ଦାସ ଆଦି ନେତାଙ୍କ ନାଁ ଅଛି ନା ନାହିଁ । ଯଦି ନାହିଁ ତାହାଲେ କିଏ କିଏ ଦଳକୁ ଫେରିବେ , ଆଉ କିଏ ଫେରିବେନି । ବିଜେଡି ଛାଡି ଯାଇଥିବା ନେତା ଏବଂ ବିଜେଡିରୁ ତଡା ଖାଇଥିବା ନେତାଙ୍କ ଭିତରୁ କିଏ ଆସିଲେ ଦଳପାଇଁ ଭଲ ହେବ ସେନେଇ ଚାଲିଛି ଅଙ୍କକଷା । ଯେହେତୁ ନିର୍ବାଚନ ଋତୁ ପାଖେଇ ଆସୁଛି ସେଥିପାଇଁ ନେତାମାନଙ୍କ ଭିତରେ କଳ୍ପନାଜଳ୍ପନା ଚାଲିଛି।  ସୁଯୋଗ ଖୋଜୁଛନ୍ତି କିଭଳି କେଉଁ ଦଳକୁ ଆସନ ଧରିବେ । ସେଥିପାଇଁ ବିଜେଡି ଆଗୁଆ ଘର ସଜାଡିବା କାମ ଆରମ୍ଭ କରିଛି । ଆଶାୟିଙ୍କ ନଜର ଅଛି, ବିକଳ୍ପ ଖୋଜିବା ପୂର୍ବରୁ କ୍ଷମତାରେ ଥିବା ଦଳ ଫୋଲଡକୁ କିଭଳି ଫେରିବେ ।

ପ୍ରାୟ ବର୍ଷେତଳେ ବିଜେଡି ସୁପ୍ରିମୋ ନବିନ ପଟନାୟକ ସଂଙ୍କେତ ଦେଇଥିଲେ କେସ୍ ଟୁ କେସ୍ ବିଚାର କରାଯାଇ କିଛି ନେତାଙ୍କୁ ପାର୍ଟି ଫୋଲ୍ଡକୁ ନିଆଯିବ । ତାପରଠୁ ବିଜେଡି ପ୍ରକ୍ରିୟା ଆରମ୍ଭ କରିନଥିଲା । ମଝିରେ କେବଳ ପ୍ରଭାତ ତ୍ରିପାଠୀଙ୍କୁ ପାର୍ଟି ଫୋଲଡକୁ ନିଆଯାଇଥିଲା । ଆଉ ଏବେ ରଘୁ ମହାନ୍ତିଙ୍କୁ ଦଳକୁ ଫେରାଇବା ପରେ ଦଳ ଛଡା ଓ ଦଳରୁ ବିଦା ନେତାଙ୍କ କଥା ଆଲୋଚନାକୁ ଫେରିଛି । ଯେଉଁ ନେତାଙ୍କ କିଛି ଲୋକ ସଂପର୍କ କିମ୍ବା ସଂଗଠନ ଅଛି ସେମାନେ ଦଳକୁ ଫେରିବେ ବୋଲି ମଧ୍ୟ ଦଳପକ୍ଷରୁ ସ୍ପଷ୍ଟ ହୋଇଛି ।

କେଉଁ ନେତା ୨୦୧୯ ପୂର୍ବରୁ କେଉଁ ଦଳରେ ସାମିଲ ହେବେ ସେନେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଜୋର ଚର୍ଚା ଚାଲିଛି । ସେଥିରେ ପ୍ରଫୁଲ୍ଲ ଘଡେଇ, ରଘୁ ମହାନ୍ତି, ବିଜୟ ମହାପାତ୍ର,  ଦିଲ୍ଲିପ ରାୟଙ୍କ ଭଳି କିଛି ନେତାଙ୍କ ନାମ ଚର୍ଚ୍ଚା ଭିତରକୁ ବରାବର ଆସୁଛି ।  ଯେହେତୁ ବିଜେପି ନିଜକୁ ବିଜେଡିର ଏକ ବିକଳ୍ପ ଦଳ ଭାବେ ପ୍ରତିଷ୍ଠା କରୁଛି ସେଥିପାଇଁ କିଛିନେତା ପଦ୍ମ ପୋଖରୀକୁ ବି ଆଖେଇଛନ୍ତି । ଏକଥା ବି କୁହାଯାଉଛି ରାଜ୍ୟ ରାଜନୀତିରେ ନୂଆ ମେଣ୍ଟ ଆରମ୍ଭ ଦିଗରେ ଏସବୁ ନେତା ବି ପ୍ରୟାସ କରିପାରନ୍ତି ।…

 

Leave A Reply

Your email address will not be published.