ଭୁବନେଶ୍ୱର : କଳିଙ୍ଗ ଷ୍ଟୁଡିଓ ଜମିରେ ସ୍ପୋର୍ଟସ କମ୍ପ୍ଲେକ୍ସ ପ୍ରସ୍ତାବକୁ ଚାରିଆଡୁ ବିରୋଧ ପରେ ବ୍ୟାକ ଫୁଟରେ ରାଜ୍ୟ ସରକାର । କଳିଙ୍କ ଷ୍ଟୁଡିଓ ଜମି ଅନ୍ୟ କାହାକୁ ଦିଆଯିବନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ଏସବୁ ଭିତରେ ସବୁଠୁ ବଡ ପ୍ରଶ୍ନ, ଓଡିଆ ସିନେମା ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ତିଆରି ହୋଇଥିବା କଳିଙ୍ଗ ଷୁଡିଓର ପୁନରୁଦ୍ଧାର ପାଇଁ ସରକାର ଅସଲରେ କେତେ ଚିନ୍ତା କରୁଛନ୍ତି ।
କଳିଙ୍ଗ ଷ୍ଟୁଡିଓ ଜମି ପ୍ରସଙ୍ଗରେ ବ୍ୟାକ ଫୁଟରେ ସରକାର । ଚାରିଆଡୁ ଷଣ୍ଢୁଆସି ଆକ୍ରମଣ ପରେ ଏବେ କଥା ବଦଳାଇଛନ୍ତି ମନ୍ତ୍ରୀ । କଳିଙ୍ଗ ଷ୍ଟୁଡିଓ ଜମିକୁ କାହାରିକୁ ଦିଆଯିବ ନାହିଁ ବୋଲି କହିଛନ୍ତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ । ବିରୋଧକୁ ଶାନ୍ତ କରିବା ଲାଗି ମନବୁଝିବା ଭଳି ଘୋଷଣା ବି କରିଛନ୍ତି । କଳିଙ୍ଗ ଷ୍ଟୁଡିଓର ଉନ୍ନତି ପାଇଁ ରାଜ୍ୟ ସରକାର ୨ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କଳିଙ୍ଗ ଷ୍ଟୁଡିଓର ବିକାଶ କରାଯିବ । ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ନେଇ ଯେଉଁ ଚିଠି ଲେଖାଯାଇଛି ତା ଉପରେ ଆଲୋଚନା ହେବ କହି ବିରୋଧ ନିଆଁରେ ପାଣି ଛାଟିବାକୁ ଚେଷ୍ଟା କରିଛନ୍ତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
। ସେ କହିଛନ୍ତି-“କଳିଙ୍ଗ ଷ୍ଟୁଡିଓର ଉନ୍ନତିକରଣ ପାଇଁ ୨୦୦ କୋଟି ଟଙ୍କା ଦିଆଯାଇଛି। ସେହି ଅର୍ଥରେ ଷ୍ଟୁଡିଓରେ ଉନ୍ନତିକରଣ ଓ ଏକ ଭିଲେଜ ନିର୍ମାଣ କରାଯିବ। ଏହାର ନିର୍ମାଣ ଦାୟିତ୍ୱ ଇଡ୍କୋକୁ ଦିଆଯାଇଛି। ଏପରି ସ୍ଥଳେ କଳିଙ୍ଗ ଷ୍ଟୁଡ଼ିଓକୁ ଅନ୍ୟ କାହାକୁ ଦିଆଯିବ କାହିଁକି? ତେଣୁ ଯେଉଁ ଖବର ପ୍ରକାଶ ପାଇଛି, ତାହାର କିଛି ସତ୍ୟତା ନାହିଁ। ଆଗାମୀ ଦିନରେ କଳିଙ୍ଗ ଷ୍ଟୁଡ଼ିଓର ଆହୁରି ଉନ୍ନତି କରଣ କରାଯିବ। ଯେମିତି ଅନ୍ୟ ରାଜ୍ୟର ପ୍ରଯୋଜକମାନେ ଏଠାକୁ ଆସି ଫିଲ୍ମ ସୁଟିଂ କରିବେ। କ୍ରୀଡ଼ା ସଚିବ ଯେଉଁ ଚିଠି ପ୍ରଦାନ କରିଛନ୍ତି, ତାକୁ ରାଜ୍ୟ ସରକାର କେବେ ହେଲେ ଗ୍ରହଣ କରିବେ ନାହିଁ। ଖେଳର ବିକାଶ କରିବା ଅର୍ଥ ନୁହେଁ ଅନ୍ୟ କିଛିକୁ ବନ୍ଦ କରିବା। ଖେଳର ବିକାଶ କରିବା ପାଇଁ ବହୁ ପଡ଼ିଆ ରହିଛି। ଚାହିଁଲେ ବହୁ ପଡ଼ିଆ ତିଆରି କରାଯାଇପାରିବ। ତେଣୁ କୌଣସି ପରିସ୍ଥିତିରେ ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡିଓକୁ ଅନ୍ୟକୁ ହସ୍ତାନ୍ତର କରିବା ପାଇଁ ଚିନ୍ତା କରିନାହାଁନ୍ତି।”ସରକାରଙ୍କ ୟୁ ଟର୍ନକୁ କିନ୍ତୁ ସହଜରେ ଗ୍ରହଣ କରୁ ନାହାନ୍ତି ବିରୋଧୀ ଓ କଳାକାର । ରାଜ୍ୟରେ ସିନେମାର ବିକାଶ ପାଇଁ, କଳାକାର ଓ ପ୍ରଯୋଜକଙ୍କୁ ପ୍ରୋତ୍ସାହିତ କରିବା ଲାଗି କଳିଙ୍ଗ ଷ୍ଟୁଡିଓ ତିଆରି ହୋଇଥିଲା । ୧୯୯୯ ମହାବାତ୍ୟା ପରେ ଜରାଜୀର୍ଣ୍ଣ ହୋଇ ପଡିଛି କଳିଙ୍ଗ ଷ୍ଟୁଡିଓ । ହେଲେ ହେଲେ ଏତେ ଦିନ ପରେ ବି ପୁନରୁଦ୍ଧାର ଲାଗି ସରକାର ପଦକ୍ଷେପ ନେଉ ନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠିଛି । ଆନ୍ଧ୍ର ଏବଂ ମହାରାଷ୍ଟ୍ରରେ ଆତ୍ୟାଧୁନିକ ଷ୍ଟୁଡିଓ ରହିଛି । ହେଲେ ଓଡିଶାରେ କଳିଙ୍ଗ ଷ୍ଟଡିଓ ଅଣଦେଖା । ଏଠି ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରିବା ଲାଗି ଦାବି ହୋଇଛି ।ବିବାଦ ଓ ବିରୋଧ ପରେ କଳିଙ୍ଗ ଷ୍ଟୁଡିଓ ଜମି ଅନ୍ୟ ବିଭାଗକୁ ଦେବା ପ୍ରସ୍ତାବରୁ ଓହରିଛନ୍ତି ସରକାର । ଏବେ ଅପେକ୍ଷା କେବେ ଷ୍ଟୁଡିଓ ପୁନରୁଦ୍ଧାର କରୁଛନ୍ତି ।
