ଭୁବନେଶ୍ବର : ରାଜ୍ୟରେ ହେବ ୱାଟର ଏୟାରପୋର୍ଟ । ଚିଲିକାରେ ୱାଟର ଏୟାରପୋଟ କରିବା ନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କର ଏକ ସ୍ବତନ୍ତ୍ର ଟିମ ଟେକନିକାଲ ଷ୍ଟଡି କରି ଫେରିଥିବା ଭୁବନେଶ୍ବର ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଏହାଦ୍ବାରା ଚିଲିକାର ଜୈବ ବିବିଧତା ଉପରେ କି ପ୍ରଭାବ ପଡ଼ିବ ସେନେଇ ଉଠିଛି ପ୍ରଶ୍ନ।
ଏଥର ଚିଲିକା ଓହ୍ଲାଇବ ଏମିତି ବିମାନ। ଚିଲିକାରେ ହେବ ୱାଟର ଏୟାରପୋର୍ଟ। ଚିଲିକା ମଝିରେ ଅବତରଣ କରିବ ବିମାନ। ଯାତ୍ରୀ ଡଙ୍ଗାରେ ଯାଇ ବିମାନରେ ଚଢିବେ । ସେହିପରି ବିମାନରୁ ଅବତରଣ କରି ଡଙ୍ଗାରେ କୁଳକୁ ଆସିବେ। ଏହି ୱାଟର ଏରୋଡ୍ରମ ନେଇ ପ୍ରାରମ୍ଭିକ ସର୍ଭେ ଶେଷ ହୋଇଛି । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଙ୍କ ଏକ ସ୍ବତନ୍ତ୍ର ଟିମ ଆସି ଚିଲିକାରେ ବିମାନ ବନ୍ଦର ପାଇଁ ଟେକନିକାଲ ଷ୍ଟଡି କରି ଫେରିଥିବା ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାସହ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସ୍ପାଇସ ଜେଟ, ଭୁବନେଶ୍ବର ପାଣିପାଗ କେନ୍ଦ୍ର, ଟୁରିଜିମ ବିଭାଗର ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଚିଲିକାର ବିଭିନ୍ନ ଦିଗରୁ ସର୍ଭେ କରିଛନ୍ତି। କେଉଁ ଦିଗରେ ବିମାନ ବନ୍ଦର କଲେ ସୁବିଧା ହେବ ବେଶୀ ସମସ୍ୟା ରହିବନି ଓ କେଉଁଠାରୁ ଅଧିକ ଯାତ୍ରୀ ଏହାର ସୁବିଧା ନେଇପାରିବେ ଏବଂ ଟୁରିଷ୍ଟ ଅଧିକ ହୋଇପାରିବେ ସେନେଇ ହୋଇଛି ସର୍ଭେ।…
ଚିଲିକା ହେଉଛି ଏକ ରାମସାର ସାଇଟ୍। ଏହାର ଗୋଟେ ପଟେ ସାତପଡା ରହିଥିବା ବେଳ ଅନ୍ୟପଟେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ ହୁଏ। ଏଠାରେ ଡଲଫିନଙ୍କର ମଧ୍ୟ ଆଗମନ ହୋଇଥାଏ । ତେଣୁ ଏହାର ବାଇଓଡାଇଭରସିଟି ଉପରେ ଯେଭଳି କୌଣସି ଆଞ୍ଚ ନଆସିବ ତାହା ହେଉଛି ମୁଖ୍ୟ ପ୍ରସଙ୍ଗ। ତେଣୁ ସର୍ଭେ ଟିମ ରିପୋର୍ଟ ଦେବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ।…
ମହାରାଷ୍ଟ୍ରର ଲୋନାଭେଲା ଲେକ୍ ଏବଂ ଗୁଜରାଟର ଅହମ୍ମଦାବାଦରେ ରହିଛି ୱାଟର ଏରୋଡ୍ରମ । ତେବେ ଆମ ରାଜ୍ୟରେ ଏଭଳି ଏକ ୱାଟର ବିମାନବନ୍ଦର ନିର୍ମାଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ଏବେ ମରାଳମାଳିନୀ ନିଳାମ୍ବୁ ଚିଲିକାରେ ମାଳମାଳ ଡଙ୍ଗା ଓ ବିଦେଶୀ ବିହଙ୍ଗଙ୍କ ବଦଳରେ ଦେଖାଦେବେ ମାଳମାଳ ବିମାନ।
