ଆଇସିୟୁରେ ଖେଳୁଛି ମୀନ, ସୁଶିଲଙ୍କ ଅଗଣାରେ ଆଣ୍ଠୁଏ ପାଣି

ପାଟନା  : ସରକାରୀ ଡାକ୍ତରଖାନାରେ ଡ୍ରେନ୍ ପାଣି । ତାହା ପୁଣି ଆଇସିୟୁ ଭିତରେ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ନୀତିଶ କୁମାରଙ୍କ ବିହାରରେ । ଏହା କୌଣସି ପୋଖରୀ କିମ୍ବା ଗଡିଆ ନୁହେଁ ।  ଏହା ହେଉଛି ହସ୍ପିଟାଲ୍‌ ଭିତରର କଥା । ଆଉ ମାଛ  ଖେଳୁଥିବା ସ୍ଥାନଟି ହେଉଛି ହସ୍ପିଟାଲର ଆଇସିୟୁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୀତିଶ କୁମାରଙ୍କ ବିହାର ପାଟନାର ନାଳନ୍ଦା ମେଡିକାଲ୍‌ କଲେଜରେ । ଶୁକ୍ରବାର ଠାରୁ ପ୍ରବଳ ବର୍ଷା ଯୋଗୁଁ ପାଟନାର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ନାଳନ୍ଦା ମେଡିକାଲ୍ କଲେଜ ଆଇସିୟୁ ଭିତରେ ପଶିଥିଲା ପାଣି । ବେଡ୍‌ ଉପରେ ଥିଲେ ରୋଗୀ ଆଉ ତଳେ ଖେଳୁଥିଲେ ମୀନ । ପାଣି ରୋଗୀଙ୍କ ବେଡ୍‌ ଯାଏଁ ଛୁଇଁଥିଲା । ଡାକ୍ତରୀ ଉପକରଣ ସବୁ ପାଣିରେ ଭାସୁଥିବା ବେଳେ ହସ୍ପିଟାଲର ଅଧିକାଂଶ ୱାର୍ଡରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା ।

ନାଳନ୍ଦା ମେଡିକାଲ କଲେଜ ବିହାରର ତୃତୀୟ ସର୍ବବୃହତ ସରକାରୀ ଡାକ୍ତରଖାନା । ୧୦୦ ଏକରରେ ନିର୍ମିତ ଏହି ହସ୍ପିଟାଲରେ ରହିଛି ୭୫୦ ବେଡ୍‌ । ତେଣୁ ଏଠାରେ ସବୁବେଳେ ରୋଗୀଙ୍କ ଭିଡ ଥାଏ । ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ୱାର୍ଡ ଏବେ ଜଳବନ୍ଦୀ ଅବସ୍ଥାରେ । ବର୍ଷା ପାଣି ସାଙ୍ଗକୁ ଡ୍ରେନ୍‌ ପାଣି ହସ୍ପିଟାଲରେ ପଶିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ରୋଗୀ ଓ ସଂପର୍କୀୟ ।  ରୋଗୀ ଓ ରୋଗୀଙ୍କ ସଂପର୍କୀୟମାନେ ରାତି ସାରା ପାଣିରେ ରହିବାକୁ ବାଧ୍ୟ ହୋଇଥିଲେ । ସକାଳୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

ଆଉ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦିଙ୍କ ବାସଭବନ ଆଗର ବି ଆଣ୍ଠୁଏ ପାଣି । ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ ବି ପଶିଥିଲା ପାଣି । ଏହି ସବୁ ଦୃଶ୍ୟ ସୋସିଆଲ୍‌ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏହା ବିହାରର ବିକାଶକୁ ପଦାରେ ପକାଇଛି ।

Leave A Reply

Your email address will not be published.