ଗୁରୁପ୍ରିୟା ସେତୁରେ ଗଫଲତି : ସିଏଜି ରିପୋର୍ଟକୁ ଆଳ କରି ସରକାରଙ୍କୁ ଘେରିଲେ କଂଗ୍ରେସ ଓ ବିଜେପି

ଭୁବନେଶ୍ବର : ଗୁରୁପ୍ରିୟା ସେତୁରେ ଗଫଲତି । ସେତୁ ନିର୍ମାଣରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା । ଆଇନକୁ ଉଲଙ୍ଘନ କରି ଠିକାଦାରଙ୍କୁ ୭୪ କୋଟି ୧୯ ଲକ୍ଷ ଟଙ୍କା ଅନୁଗ୍ରହ କରାଯାଇଥିବା ସିଏଜି ରିପୋର୍ଟରେ ଧରାପଡିଛି । ଏକଥା ପଦାକୁ ଆସିବା ପରେ ଗୁରୁପ୍ରିୟାକୁ ନେଇ ସାବାସି ନେଉଥିବା ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୁରୁପ୍ରିୟା ସେତୁ ନିର୍ମାଣରେ କିକ ବ୍ୟାକ ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି ।

ଗୁଡେଇ ତୁଡେଇ ହେଉଛି ଗୁରୁପ୍ରିୟା ପ୍ରସଙ୍ଗ । ସେତୁକୁ ନେଇ ଶ୍ରେୟ ନେବାକୁ ଟଣାଭିଡା ପରେ ଏବେ ଆସିଛି ସେତୁ ନିର୍ମାଣରେ ଦୁର୍ନିୀତି ଅଭିଯୋଗ ।ଗୁରୁପ୍ରିୟା ସେତୁ ନିର୍ମାଣରେ ଠିକାଦାର ପ୍ରୀତି ଥିବା ଧରିଛନ୍ତି ସିଏଜି । ଗାଇଡ ଲାଇନ ଉଲଙ୍ଘନ କରି ଠିକାଦାରଙ୍କୁ ୭୩ କୋଟି ୧୯ ଲକ୍ଷ  ଟଙ୍କା  ଅଧିକ ଦିଆଯାଇଛି । ସେତୁ ନିର୍ମାଣ ଲାଗି ୧୬୯ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । ପରେ ବୋଟ ଓ ଟ୍ୟୁବ ଯୋଗେ ସେତୁ ନିର୍ମାଣ ସରଞ୍ଜାମ ପରିବହନ ଲାଗି ୨୪ କୋଟି ଓ ଲଞ୍ଚ ଗାର୍ଡ ବାବଦରେ ୪ କୋଟି ଅଧିକ ଦେବାନେଇ ସନ୍ଦେହ ପ୍ରକାଶ କରିଛନ୍ତି ସିଏଜି । ଏହା ସହ ୫ ପ୍ରତିଶତ ଅଧିକରେ ୧୮୭ କୋଟି ଟେଣ୍ଡର ଦିଆଯାଇଛି । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବହୁ ଚ୍ୟାଲେଞ୍ଜ ନେଇ ମାଓଗଡରେ ସେତୁ କରି ବାହାବା ନେଉଛନ୍ତି ରାଜ୍ୟ ସରକାର । ଗୁରୁପ୍ରିୟାକୁ  ବିକାଶର ମଡେଲ ବୋଲି କହୁଛନ୍ତି ରାଜ୍ୟ ସରକାର । ହେଲେ ଏହି ସେତୁ ତିଆରିରେ ଆସିଛି ଦୁର୍ନିତୀ ଅଭିଯୋଗ । ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ସିଏଜି ରିପୋର୍ଟେରେ ଧରା ପଡିବା ପରେ ଅଡୁଆରେ ପଡିଛନ୍ତି ସରକାର । ଜବାବ ରଖି ବିଜେଡି କହିଛି ଏହା ଏକ ପ୍ରାଶାସନିକ ପ୍ରସଙ୍ଗ । ସିଏଜିଙ୍କ ରିପୋର୍ଟ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ହେଲେ ବିରୋଧୀ କାହିଁକି ଅଯଥା ରାଜନୀତି କରୁଛନ୍ତି ।

୧୯୮୨ରେ ପ୍ରଥମେ ସେତୁର ଶିଳାନ୍ୟାସ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶିଳାନ୍ୟାସ କରିଥିଲେ । ହେଲେ ମାଓ ଭୟରେ ଦୁଇ ଦୁଇ ଠିକାଦାର ଅଧାରୁ କାମ ଛାଡିଥିଲେ । ଏବେ ସେତୁ ସରିଛି । ହେଲେ ଆରମ୍ଭରୁ ଥିବା ବିବାଦ ସେତୁ ସରିବା ପରେ ବି ସରୁନି ।

 

Leave A Reply

Your email address will not be published.