ଟଙ୍କା ପାଇଁ ଡବଲ୍ ମର୍ଡର୍ ଓ ଦୁଷ୍କର୍ମ କଲା ଧର୍ମଛଡ଼ା ଧରମ ପୁଅ

ଭଦ୍ରକ : ଟଙ୍କା ପାଇଁ ହିଁ ନରକୀୟ କାଣ୍ଡ ଘଟାଇଛି ଧର୍ମଛଡ଼ା ଧରମ ପୁଅ । ଭଦ୍ରକ ତାଳସିଠା ଗାଁ ଡବଲ୍ ମର୍ଡର୍ ଓ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ପୋଲିସ୍ ଜାଲରେ ପଡ଼ିବା ପରେ ବଦଲା ବାହାନା ଦେଖାଇଛି । ସାହି ପଡ଼ିଶା କିମ୍ବା ପୋଲିସ୍, ତାର ଭର୍ସନକୁ ଗ୍ରହଣ କରୁନଥିବା ବେଳେ ଦୁର୍ବୃତ୍ତ ଦ୍ବାରା ଠାବ ହୋଇଛି ରବିବାର ସନ୍ଧ୍ୟାରୁ ନିଖୋଜ ଥିବା ରବୀନ୍ଦ୍ର ବେହୁରିଆଙ୍କ ମୃତଦେହ ।

ସୈତାନ୍ କହୁଛି କାହାଣୀ । ଧର୍ମଛଡ଼ା ଧରମ ପୁଅ ଶୁଣାଉଛି ଗପ । ସେ କାଳେ ତା ବାପା-ମାଆଙ୍କ ଉପରେ ହୋଇଥିବା ନିର୍ଯାତନାର ବଦଲା ନେଲା । ଏ ହେଉଛି ଧାମନଗର ତାଳସିଠା ଗାଁ ଡବଲ୍ ମର୍ଡର୍ ଓ ଦୁଷ୍କର୍ମର ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ ବାବୁଆ । ଏ ହିଁ ରବୀନ୍ଦ୍ର ବେହୁରିଆ, ତାଙ୍କ ସ୍ତ୍ରୀ ଭକ୍ତିଲତାଙ୍କୁ ହତ୍ୟା କରିଛି । ନାବାଳିକା ଝିଅକୁ ଗୋଡ଼ହାତ ବାନ୍ଧି ଦୁଷ୍କର୍ମ କରିଛି । ତାଙ୍କୁ ମଧ୍ୟ ମାରିଦେବାକୁ ଯୋଜନା କରିଥିଲା । କିନ୍ତୁ ସାହିପଡ଼ିଶା ଓ ଗାଁ ଲୋକ ଚାଲି ଆସିବାରୁ ତାହା ସମ୍ଭବ ହୋଇପାରି ନଥିଲା । ପୋଲିସ୍ ହାତରେ ଧରା ପଡ଼ିବା ପରେ ଗୋଟି ଗୋଟି କରି ସବୁ ମାନିଛି ଦୁର୍ବୃତ୍ତ । ଟଙ୍କା ପାଇଁ ହିଁ ଗୋପୀନାଥ ଏଭଳି କାଣ୍ଡ ଘଟାଇଥିବା ଭଦ୍ରକ ଏସପି ବି. ଗଙ୍ଗାଧର କହିଛନ୍ତି  ।

ଖାସ୍ ରବୀନ୍ଦ୍ରଙ୍କ ପରିବାରକୁ ସଫା କରି ଦେବାକୁ ଭୁବନେଶ୍ବରରୁ ଯୋଜନା କରି ଗାଁକୁ ଯାଇଥିଲା ଦୁର୍ବୃତ୍ତ । ଫୋନ୍ କରି ଧରମ ବାପା ରବୀନ୍ଦ୍ର ବେହୁରିଆଙ୍କୁ ଧାମନଗର ଛକକୁ ଡକାଇଥିଲା । ହେଲେ ବାପ–ପୁଅ ମିଶି କରି ମଦ ପିଇଥିଲେ । କାଳତିରା କେନାଲ ପାଖକୁ ଡାକିନେଇ ସେଠାରେ ଠେଙ୍ଗା ପିଟି ରବୀନ୍ଦ୍ରଙ୍କୁ ମାରିଦେବା ପରେ ପାଣିରେ ପକାଇ ଦେଇଥିଲା । ପୁଣି ସେଠାରୁ ରବୀନ୍ଦ୍ରଙ୍କ ମୋଟର ସାଇକେଲ ଓ ଫୋନ୍ ନେଇ ତାଙ୍କ ଘରକୁ ଯାଇଥିଲା । ଫୋନ୍ କରି କବାଟ ଖୋଲିବାକୁ ରବୀନ୍ଦ୍ରଙ୍କ ସ୍ତ୍ରୀ ଭକ୍ତିଲତାଙ୍କୁ କହିଥିଲା । ଆଉ ଭକ୍ତିଲତା କବାଟ ଖୋଲୁ ଖୋଲୁ ଘର ଭିତରକୁ ପଶିଯାଇ ପାଟିତୁଣ୍ଡ କରିଥିଲା ଗୋପୀନାଥ । ଶିଳପୁଆ ଆଣି ତାଙ୍କୁ ଆକ୍ରମଣ କରିଥିଲା । ହେଲେ ଝିଅ ବିରୋଧ କରିବାରୁ ତାକୁ ବାନ୍ଧି ଦେଇଥିଲା । ଶିଳପୁଆରେ ଭକ୍ତିଲତାଙ୍କ ମୁଣ୍ଡକୁ ବାରମ୍ବାର ଛେଚି ପକାଇଥିଲା । ଆଉ ସେ ବେହୋସ୍ ହୋଇଯିବା ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଦୁର୍ବୃତ୍ତ । ତାଙ୍କୁ ମଧ୍ୟ ମାରିଦେବାକୁ ଯୋଜନା କରିଥିଲା । କିନ୍ତୁ ସମ୍ପର୍କୀୟ ଓ ସାହି ପଡ଼ିଶା ଚାଲି ଆସିବାରୁ ସେ ଖସି ପଳାଇଥିଲା ।

ଧାମନଗର ତାଳସିଠା ଗାଁର ଏହି ଘଟଣା ଗତକାଲି ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଭଦ୍ରକ ପୋଲିସ୍ ପାଇଁ ବି ଥିଲା ବଡ଼ ଚ୍ୟାଲଞ୍ଜ । ହେଲେ କେଇ ଘଣ୍ଟା ଯାଇନି, ପୋଲିସ୍ ଜାଲରେ ପଡ଼ିଲା ସେ । ମୋବାଇଲ୍ ଫୋନ୍ ଟ୍ରାକ୍ କରି ଧାମନଗର ପୋଲିସ୍, ଅଭିଯୁକ୍ତକୁ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଛି । ତା ନିକଟରୁ ରବୀନ୍ଦ୍ରଙ୍କ ଫୋନ୍ ସହ ଭକ୍ତିଲତାଙ୍କ କିଛି ସୁନା ଅଳଙ୍କାର ଜବତ ହୋଇଛି । କାଳତିରା କେନାଲରେ ଭାସୁଥିବା ରବୀନ୍ଦ୍ରଙ୍କ ମୃତଦେହକୁ ପୋଲିସ୍ ସହ ଯାଇ ଠାବ କରାଇଛି ଅଭିଯୁକ୍ତ । ସେପଟେ ବାପା-ମାଆଙ୍କ ଉପରେ ନିର୍ଯାତନା ପାଇଁଗୋପୀନାଥ ବଦଲା ନେଇଥିବା କହୁଥିଲେ ମଧ୍ୟ ସାହି ପଡ଼ିଶା ତାହା ଗ୍ରହଣ କରିନାହାନ୍ତି । ବରଂ ଗୋପୀନାଥର ମାଆ ମରିଗଲା ପରେ ଭକ୍ତିଲତା ହିଁ ତାକୁ ପୁଅ ଭଳି ପାଳିଥିଲେ ବୋଲି ସମସ୍ତେ କହୁଛନ୍ତି ।

ସାହିପଡ଼ିଶା ହୋଇ ବି, ମାଆ ଛେଉଣ୍ଡ ପରଠାରୁ ରବୀନ୍ଦ୍ର ଓ ଭକ୍ତିଲତା, ଗୋପୀନାଥଙ୍କୁ ନିଜ ପୁଅ ଭଳି ପାଳିଥିଲେ । କିନ୍ତୁ ଯେତେ କ୍ଷୀର ଦେଇ ପାଳିଲେ ବି ନାଗ ସାପ ଭଳି ଚୋଟ ମାରିଲା ଗୋପୀନାଥ । ପୁଣି ଯେଉଁ ଭଉଣୀ, ତା ହାତରେ ରାଖୀ ବାନ୍ଧୁଥିଲା ତାକୁ ଦୁଷ୍କର୍ମ ସହ ସବୁଦିନ ପାଇଁ ବାପା-ମାଆ ଛେଉଣ୍ଡ କରିଦେଲା । ସତରେ ଏଭଳି ଧର୍ମଛଡ଼ା ଧରମ ପୁଅକୁ ଧରମ ସହିଲେ ହେଲା ।

Leave A Reply

Your email address will not be published.