କେନ୍ଦୁଝର : ଆପଣଙ୍କ ପିଲାମାନଙ୍କୁ କଏନ ଦେଉଛନ୍ତି କି ? ସାବଧାନ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଛୋଟ ପିଲାଙ୍କୁ କଏନ ଦେବାବେଳେ ପରିବାର ଲୋକେ ସାବଧାନ ରହିବା ଦରକାର । କାହିଁକି ନା ଆପଣଙ୍କ ପିଲା ଯଦି କଏନକୁ ଗିଳିଦିଏ ଦେବେ ଜୀବନ ବି ଯାଇ ପାରେ । ଏମିତି ଏକ ଘଟଣା ଘଟିଛି କେନ୍ଦୁଝରରେ । ଏକ ପାଞ୍ଚଟଙ୍କିଆ କଏନ ଗିଳି ଜଣେ ଶିଶୁ ଗୁରୁତ୍ୱର ହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛି । କେନ୍ଦୁଝର ଜୁମ୍ପୁରା ବ୍ଲକର ବଡନେଉଳପୁର ଗାଁରେ ଏହି ଅଘଟଣ ଘଟିଛି ।
ଗଣେଶ୍ୱର ମୁଣ୍ଡାଙ୍କ ୫ ବର୍ଷର ପୁଅ ବିଜୟ ଗତକାଲି ସନ୍ଧ୍ୟାରେ ଘର ପାଖ ଦୋକାନକୁ ଚକୋଲେଟ୍ କିଣିବା ପାଇଁ ଏକ ପାଞ୍ଚଟଙ୍କିଆ କଏନ୍ ନେଇ ଯାଇଥିଲା । ରାସ୍ତାରେ ସେ କଏନ୍ଟିକୁ ପାଟିରେ ପୁରାଇଥିଲା । ଅସାବଧାନତା ଯୋଗୁ କଏନ୍ଟି ତଣ୍ଟିରେ ଲାଗିଯାଇଥିଲା। ଫଳରେ ବିଜୟ ପ୍ରବଳ କାନ୍ଦିଥିଲା । ତାର କାନ୍ଦ ଶୁଣି ଲୋକେ ଠୁଳ ହୋଇଯାଇଥିଲେ। କଏନକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା । ହେଲେ ବାହାରିନଥିଲା ।
ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ବହୁ ଚେଷ୍ଟା କରିବା ପରେ ମଧ୍ୟ କାଏନକୁ ବାହାର କରିବାରେ ବିଫଳ ହୋଇଥିଲେ । ଶିଶୁଟିକୁ କଟକ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗଣେଶ୍ୱରଙ୍କ ପାଖରେ ଟଙ୍କା ନଥିବାରୁ ପୁଅକୁ କଟକ ନେଇପାରିନଥିଲେ । ପୁଅର ଅବସ୍ଥା ବିଗିଡି ଯାଉଥିବା ଦେଖି ବାପାମାଆ ବିକଳ ହେଉଥିବା ବେଳେ ପୂର୍ବତନ କାଉନସିଲର ଭୂବନ ନାଏକ ସାହାଯ୍ୟର ହାତ ବଢ଼େଇଥିଲେ । ମାଗଣାରେ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ । ଆମ୍ବୁଲାନ୍ସରେ ବିଜୟକୁ କଟକ ବଡ଼ ଡାକ୍ତରଖାନା ନିଆଯାଇଛି ।
