ଓଡ଼ିଶାମୁହାଁ ୪୦ ଲକ୍ଷ ବାଂଲାଦେଶୀ

ଭୁବନେଶ୍ୱର : ଆସାମ ନାଗରିକରୁ ବାଦ୍ ପଡ଼ିଥିବା ପ୍ରାୟ ୪୦ ଲକ୍ଷ ବାଂଲାଦେଶୀ ଅନ୍ୟ ରାଜ୍ୟକୁ ମୁହାଁଇଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତତ୍ପର ହୋଇ ଉଠିଛି ଓଡ଼ିଶା ପୁଲିସ୍ । ବିଶେଷ କରି ଆସାମରୁ ବିତାଡ଼ିତ ବାଂଲାଦେଶୀ ଓଡ଼ିଶା ପଳାଇ ଆସିବାର ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି । ତଟ ସୁରକ୍ଷା ବାହିନୀ ସମେତ ଉପକୂଳ ଥାନା ଓ ଏସପି୍କୁ ଅନୁପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ତଟ ସୁରକ୍ଷା ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ସମୁଦ୍ରରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୩୭ ହଜାର ବାଂଲାଦେଶୀ ଶରଣାର୍ଥୀ ରହିଥିବା ବେଳେ ଏବେ ପୁଣି ଉପକୂଳ ବାଟ ଦେଇ ଓଡ଼ିଶାକୁ ବାଂଲାଦେଶୀମାନେ ଅନୁପ୍ରବେଶ କରିବାର ସମ୍ଭାବନା ରହିଛି । ଏମାନଙ୍କ ପାଇଁ ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ସୂଦୀର୍ଘ ୪୭୬ କିଲୋମିଟର ବେଳାଭୂମି ଅନୁପ୍ରବେଶ ପାଇଁ ସହଜ ରାସ୍ତା ବୋଲି କୁହାଯାଉଛି । କିନ୍ତୁ ପୁଲିସ୍ର କହିବାନୁଯାୟୀ ଉପକୂଳ ସୁରକ୍ଷା ଓ ଅନୁପ୍ରବେଶକାରୀଙ୍କ ଉପରେ ନଜର୍ ରଖିବାକୁ ରାଜ୍ୟରେ ଏବେ ୧୮ଟି ସାମୁଦ୍ରିକ ଥାନା ଓ ସମୁଦ୍ରରେ ପାଟ୍ରୋଲିଂ କରିବାକୁ ୧୫ଟି ବୋଟ ରହିଛି । ଏହା ସତ୍ତେ୍ୱ ବେସରକାରୀ ଭାବେ ରାଜ୍ୟରେ ୨୦ ଲକ୍ଷରୁ ଅଧିକ ବାଂଲାଦେଶୀ ନାଗରିକ ବେଆଇନ୍ ଭାବେ ବସବାସ କରୁଛନ୍ତି । ପୂର୍ବରୁ ଓଡ଼ିଶାରେ ବାସବାସ କରୁଥିବା ବାଂଲାଦେଶୀଙ୍କ ସହାୟତାରେ ଆସାମରୁ ବିତାଡ଼ିତ ବାଂଲାଦେଶୀ ଅନୁପ୍ରବେଶ କରି ପାରନ୍ତି ବୋଲି ମଧ୍ୟ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସାମରୁ ବିଡ଼ାଡ଼ିତ ହେବା ପରେ ସେମାନେ ଓଡ଼ିଶା ଆସିବାର ବହୁ ସମ୍ଭାବନା ରହିଛି । ସୀମାରେ ସୁରକ୍ଷା ବ୍ୟବସ୍ଥା ଏବେ ବି ମୁକୁଳା ପଡ଼ିଛି ବୋଲି ନିକଟରେ ଅଭିଯୋଗ ଆଣିଥିଲେ ସୂଚନା ଅଧିକାରୀ କର୍ମୀ । ଏ ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କହିଛନ୍ତି ଯେ ଉପକୂଳରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସେମାନଙ୍କୁ ଚିହ୍ନଟ କରିବା ସହଜସାଧ୍ୟ ନୁହେଁ । ବାଲେଶ୍ୱର, ଗଞ୍ଜାମ, କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ରହିଛନ୍ତି ବୋଲି ସରକାରୀ ଭାବେ କୁହାଯିବା ପରେ ରାଜ୍ୟରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବାଲେଶ୍ୱରର ବାସିନ୍ଦା ହେରମ୍ବ ନାରାୟଣ କହିଛନ୍ତି ଯେ କେବଳ ବାଲେଶ୍ୱର ଜିଲ୍ଲାରେ ବାଂଲାଦେଶୀ ଶରଣାର୍ଥୀଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହେବ । ଜିଲ୍ଲା ପ୍ରଶାସନ ବର୍ଷେ ତଳେ ସ୍ୱତନ୍ତ୍ର ଭାବେ ଅଭିଯାନ କରିଥିଲେ ମଧ୍ୟ ଏମାନଙ୍କ ସଠିକ ସଂଖ୍ୟା ନିର୍ଦ୍ଧାରଣ କରିପାରିନଥିଲେ ।

Leave A Reply

Your email address will not be published.