ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ କିରୋସିନି ଢ଼ାଳି ଜିଅନ୍ତା ଜାଳିଦେଲା ସ୍ୱାମୀ

ନୟାଗଡ଼ : ପରକୀୟା ପ୍ରୀତି ସନ୍ଦେହ ନେଲା ଜୀବନ । ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହରେ ସ୍ୱାମୀ ନିଜ ହାତରେ ସ୍‍ତ୍ରୀକୁ ମାରିଦେଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ନଇତଇଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ କିରୋସିନି ଢ଼ାଳି ଜିଅନ୍ତା ଜାଳି ଦେଇଛି ସ୍ୱାମୀ । ପତ୍ନୀକୁ ହତ୍ୟାପରେ ଗ୍ରାମର ନୀଳମଣି ମହାନ୍ତି ଥାନାରେ ଆତ୍ମସମର୍ପଣ କରିଛି । ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି । ଘଟଣାରୁ ପ୍ରକାଶ ଯେ, ନୂଆଗାଁ ଥାନା ଅନ୍ତର୍ଗତ ନଇତଇଲା ଗ୍ରାମର ନୀଳମଣୀ ମହାନ୍ତି (୩୩) ୬ବର୍ଷ ପୂର୍ବେ ଶରଣକୂଳ ଥାନା କୁଶାପଣ୍ଡେରୀ ଗ୍ରାମର ଟିକିନା ମହାନ୍ତି (୩୦)ଙ୍କୁ ପ୍ରେମ ବିବାହ କରିଥିଲେ । ଟିକିନା ପୂର୍ବରୁ ଜଣକୁ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ପିଲା ଥିଲେ । ନୀଳମଣିଙ୍କୁ ବିବାହ ପରେ ତାଙ୍କ ଗାଁ ନଇତଇଲାରେ ଟିକିନା ଓ ପୁଅ ଝିଅଙ୍କ ସହ ରହୁଥିଲେ । କିଛି ଦିନ ହେବ ଟିକିନା ଦୀର୍ଘ ସମୟ ଧରି ଫୋନ୍ରେ ଗପିବାକୁ ନେଇ ସ୍ୱାମୀ ନୀଳମଣି ଏବଂ ଟିକିନାଙ୍କ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା । ପରକୀୟା ପ୍ରୀତି ସନ୍ଦେହ କରି ନୀଳମଣି କ୍ରୋଧରେ ଗୁରୁବାର ରାତ୍ରିରେ ପତ୍ନୀଙ୍କୁ ଘର ବାହାରକୁ ଟାଣି ନେଇ ତାଙ୍କୁ ତଳେ ପକାଇ ତାଙ୍କ ବେକ ଉପରେ ଚଢ଼ିଯାଇଥିଲେ । ଏଥିରେ ପତ୍ନୀ ସଂଜ୍ଞାହୀନ ହୋଇପଡ଼ିବାରୁ ତାଙ୍କ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ନୀଳମଣି ନୂଆଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲେ । ଥାନାରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନୟାଗଡ଼ ପଠାଇଛନ୍ତି । ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.