ତେଲ ରାଜନୀତି :  ୭ରୁ ବିଜେଡିର ୩ ଦିନିଆ ଆନ୍ଦୋଳନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଫଳ ଏବେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଗତ କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ’ ହୁ’ ହୋଇ ବଢ଼ି ·ଲିଥିବା ବେଳେ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି । ଦର ଉପରେ ଲଗାମ କଷିବା ପରିବର୍ତ୍ତେ ଖୋଦ୍ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମେରିକାକୁ ଦୋଷ ଦେଇ ଚୁପ୍ ବସି ପଡ଼ିଛନ୍ତି । ଭାରତବର୍ଷରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ସାଢ଼େ ୪ ବର୍ଷରେ ସର୍ବାଧିକ ଓ ଡିଜେଲ ମୂଲ୍ୟ ବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଅପରପକ୍ଷେ ଲଗାତାର ତୈଳଦର ବୃଦ୍ଧି ଯୋଗୁଁ ଖାଦ୍ୟପେୟଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ଅହେତୁକ ବୃଦ୍ଧି ଘଟୁଛି । ଗତକାଲି (ସୋମବାର) ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୮.୦୨ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୬.୩୪ ଟଙ୍କାରେ ପହଞ୍ଚିଛି ।

ଏହାର ପ୍ରତିବାଦରେ ଚଳିତ ମାସ ୭, ୮ ଓ ୯ ତାରିଖ ୩ ଦିନ ଧରି ପର୍ଯ୍ୟାୟକ୍ରମେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ଼ଧରଣର ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ । ପୂର୍ବାହ୍ନ ୧୦ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ପ୍ରମୁଖ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ବିଜେଡିର ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି ଏହାକୁ ସଫଳ କରାଇବାକୁ ନିବେଦନ କରିଛି ବିଜେଡି । ବିଜେଡି ତୈଳଦରର ଯୁକ୍ତିଯୁକ୍ତ ତଥା ଖାଉଟି ସ୍ୱାର୍ଥ ଅନୁକୂଳ ଦର ଲାଗୁ ନହେଲା ପର୍ଯନ୍ତ ଆନ୍ଦୋଳନ ଜାରି ରଖିବ ।ରାଜ୍ୟର ସମସ୍ତ ପେଟ୍ରୋଲ/ଡିଜେଲ ପମ୍ପ ସମ୍ମୁଖରେ ବିଜୁ ଜନତା ଦଳର ତିନୋଟି ଛାମୁଆ ସଂଗଠନ ଛାତ୍ର, ଯୁବ ଓ ମହିଳା ବିଜେଡି ତରଫରୁ ଖାଉଟିଙ୍କୁ ସଚେତନ କରାଯିବ । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ବୋଲି ବିଜେଡି ସାଧାରଣ ସିପାଦକ ସଞ୍ଜୟ ଦାସବର୍ମା ,ମୁଖପାତ୍ର ଅରୁଣ ସାହୁ, ସସ୍ମିତ ପାତ୍ର ଓ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲୀଙ୍କ ସମେତ ବିଜେଡିର ଛାତ୍ର,ଯୁବ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ସାମ୍ବାଦିକ ସମ୍ମଳନୀରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.