ଭୁବନେଶ୍ବର : ରକ୍ତ ଦାନ ମହାପୂଣ୍ୟ । ରକ୍ତ ଦାନ ଦ୍ବାରା ଗୋଟିଏ ଅମୂଲ୍ୟ ଜୀବନ ରକ୍ଷା ପାଇଯାଉଛି । ବିଶେଷ କରି ଯୁବସମାଜ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଆଜି ସଚିବାଳୟରେ “ଆମ ମୁଖ୍ୟମନ୍ତ୍ରୀ ଆମ କଥାରେ” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତ ଦାନର ମହତ୍ତ୍ବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରି ‘ରକ୍ତ ଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’ ବୋଲି ଆହ୍ବାନ ଦେଇଛନ୍ତି । ୧୮ ରୁ ୬୫ ବର୍ଷ ମଧ୍ୟରେ ସବୁ ସୁସ୍ଥ ଲୋକ ରକ୍ତ ଦାନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରକ୍ତଗତ ସମସ୍ୟା ଥିବା ରୋଗୀଙ୍କୁ ଏବଂ ବିପିଏଲ୍ ପରିବାରକୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି । ଏଥି ସହ ଡାକ୍ତରଖାନା ଯିବା ଆସିବା ପାଇଁ ୫ଶହ ଟଙ୍କା ଭତ୍ତା ମଧ୍ୟ ଦିଆଯାଉଛି । ସେହିପରି ଦୁର୍ଘଟଣାଗ୍ରସ୍ତ ଅସହାୟ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି । ଏହାଛଡା ରଥଯାତ୍ରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
