ବୟଫ୍ରେଣ୍ଡଙ୍କ ପାଇଁ ଜୀବନ ହାରିଲେ ଯୁବତୀ : ସୁଇସାଇଡାଲ୍ ନୋଟରେ ୫ ପୁଅ ସାଙ୍ଗକୁ କଲେ ଦାୟୀ

ଭୁବନେଶ୍ବର : ବୟଫ୍ରେଣ୍ଡଙ୍କ ପାଇଁ ଜୀବନ ହାରିଲେ ଯୁବତୀ । ଦୁଇବର୍ଷ ଧରି ପୁଅ ସାଙ୍ଗଙ୍କ ନିର୍ଯାତନାରେ ଅତିଷ୍ଠ ହେବା ପରେ ଆତ୍ମହତ୍ୟା କଲେ ୧୭ ବର୍ଷୀୟା ଯୁକ୍ତ ଦୁଇ କଲେଜ ଛାତ୍ରୀ । ଆଉ ସୁଇସାଇଡାଲ୍ ନୋଟରେ ୫ ଜଣ ପୁଅ ସାଙ୍ଗକୁ ସିଧାସଳଖ ଦାୟୀ କରିଛନ୍ତି ।

ଏ ହେଉଛି ସେହି ସୁଇସାଇଡାଲ୍ ନୋଟ୍ । ଯେଉଁଥିରେ ଛାତ୍ରୀ ଜଣକ ପ୍ରଥମେ ନିଜ ମୁଣ୍ଡକୁ ଭୁଲ୍ ନେଇଛନ୍ତି । ମଣିଷ ଚିହ୍ନିବାରେ ଭୁଲ୍ କରି ସେ ମସ୍ତବଡ଼ ଭୁଲ୍ କରିଦେଲେ । ଆଉ ଏ ଫର୍ଦ୍ଦରେ ସେ ଦାୟୀ କରିଛନ୍ତି ଲିଟୁ, ଶିବ, ସମୟ, ଅମୁଲ୍ ଏବଂ ଅଭିରାମ ୫ ଜଣଙ୍କୁ । କେହି ଜଣେ ବି ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଉ ନଥିବା ଲେଖିଛନ୍ତି । ଯେଉଁଥି ପାଇଁ ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଲେ ଦେବସ୍ମିତା ପାତ୍ର । ଚନ୍ଦ୍ରଶେଖରପୁର ବିଡିଏ କଲୋନୀରେ ରହୁଥିବା ଦେବସ୍ମିତା ଗତରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଶୈଳଶ୍ରୀ ବିହାରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ୫ ଜଣ ଯୁବକଙ୍କ ସହ ଦେବସ୍ମିତାଙ୍କର ଦେଖା ହୋଇଥିଲା । ଅନେକ ସମୟରେ ସେହି ଯୁବକମାନେ ତାଙ୍କ ଘରକୁ ଯିବା ଆସିବା କରନ୍ତି । ଝିଅର ସାଙ୍ଗ ଭାବି ଘର ଲୋକେ ସେତେଟା ସନ୍ଦେହ କରି ନଥିଲେ ମଧ୍ୟ ଘଟଣା ବହୁତ ଗଭୀରକୁ ଚାଲି ଯାଇଥିଲା । ଯାହାର ପ୍ରମାଣ ହେଉଛି ରକ୍ତରେ ଲେଖା ହୋଇଥିବା ଏହି I Love You । ସୁଇସାଇଡାଲ୍ ନୋଟ୍ କହୁଛି ଅଭିରାମଙ୍କ ସହ ଛାତ୍ରୀଙ୍କର ପ୍ରେମ ସମ୍ପର୍କ ଥିଲା । ଯେଉଁଥିରେ ଅଯଥା ନାକ ପୂରାଇଥିଲେ ଅନ୍ୟ ୪ ଜଣ । ମିଛ ସତ କହି ଅଭିରାମ ଓ ତାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲେ । ଯେଉଁଥି ପାଇଁ ଅନେକ ସମୟରେ ଅଭଇରାମଙ୍କ ସହ ଦେବସ୍ମିତାଙ୍କର ଝଗଡ଼ା ହେଉଥିଲା । ଗତକାଲି ଆତ୍ମହତ୍ୟା କରିବା ପୂର୍ବରୁ ମଧ୍ୟ ଅଭିରାମ, ଦେବସ୍ମିତାଙ୍କ ଘରକୁ ଆସିଥିଲେ । କୌଣସି ଏକ କାମରେ ତାଙ୍କ ବାପା, ମାଆ ବାହାରକୁ ଯାଇଥିବା ବେଳେ ଦୁହେଁ ରାସ୍ତାରେ କିଛି ସମୟ ବୁଲୁଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା । ଆଉ ତା ପରେ ଦେବସ୍ମିତା ଘରକୁ ଚାଲିଆସି ଆତ୍ମହତ୍ୟା କରିଛନ୍ତି ।

ପୁଅ ସାଙ୍ଗଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଯାଇଥିଲେ ଦେବସ୍ମିତା । ପୁଣି ଏମିତି  ଦୋଛକିରେ ପଡ଼ି ଯାଇଥିଲେ ଯେ, ସେହି ସାଙ୍ଗମାନଙ୍କ ତରଫରୁ ନିଜ ଘର ଲୋକଙ୍କ ପ୍ରତି ବିପଦ ଥିବା ଆଶଙ୍କା କରିଥିଲେ । ଯେଉଁଥି ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଆଉ ସୁଇସାଇଡାଲ୍ ନୋଟରେ ମଧ୍ୟ ତାଙ୍କ ପ୍ରତି ନିର୍ଯାତନା କରିଥିବା ଯୁବକଙ୍କୁ କଠୋର ଦଣ୍ଡ ଦେବାକୁ ଲେଖି ଯାଇଛନ୍ତି । ଚନ୍ଦ୍ରଶେଖରପୁର ପୋଲିସ୍ ମୃତଦେହର ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.