ଭୁବନେଶ୍ବର : ଗୁରୁବାର ଗୁରୁପ୍ରିୟା ସେତୁ ଉଦଘାଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ । ଏହି ବହୁ ପ୍ରତୀକ୍ଷିତ ସେତୁ, ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଥିବା ଦେଢ଼ ଶହ ଗାଁରେ ଲାଇଫ୍ ଲାଇନ୍ ଭାବେ କାମ କରିବ । ଦଶନ୍ଧି ଦଶନ୍ଧି ଧରି ସମସ୍ୟା ଭୋଗୁଥିବା ଲୋକଙ୍କର ସୁବିଧା ହେବ, ହେଲେ ସେତୁ ଉଦଘାଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି କହୁଛି ଏହା ରାଜ୍ୟ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ । ସେପଟେ ସେତୁ ସୁରକ୍ଷାରେ ଥିବା କେନ୍ଦ୍ରୀୟ ଫୋର୍ସଙ୍କ ପାଇଁ ନିଜ ଆଡ଼କୁ ଶ୍ରେୟ ନେବାକୁ ଚାହୁଁଛି ବିଜେପି । ସେପଟେ ୧୯୮୨ ବେଳର ଶିଳାନ୍ୟାସ କହି ଭାଗ ବସାଇଛି କଂଗ୍ରେସ ।
ଗୁରୁପ୍ରିୟା କାହାର ? ବିଜେଡିର ନା ବିଜେପିର ନା କଂଗ୍ରେସର ? ଗୁରୁବାର ଗୁରୁପ୍ରିୟା ସେତୁ ଉଦଘାଟନ ହେବାକୁ ଯାଉଥିବା ବେଳେ କ୍ରେଡିଟ୍ ନେବାକୁ ଆରମ୍ଭ ହୋଇଛି ରାଜନୈତିକ ବାଡ଼ିଆପିଟା । ୧୭୦ କୋଟି ଟଙ୍କାରେ ନିର୍ମିତ ୯୧୦ ମିଟର ଲମ୍ବର ଏହି ସେତୁ, ମାଲକାନାଗିରି ଜିଲ୍ଲା କାଳିମେଳା ଓ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଥିବା ଦେଢ଼ ଶହ ଗାଁର ଲାଇଫ୍ ଲାଇନ୍ ହେବ । ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ । ହେଲେ ସେତୁ ଲୋକାର୍ପଣକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି କହୁଛି ଗୁରୁପ୍ରିୟା ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ । ସେପଟେ ସହଯୋଗ ଓ ସୁରକ୍ଷାର କଥା କହି ଭାଗ ବସାଉଛି ବିଜେପି । ଆଉ ୧୯୮୨ରେ ଜେବି ପଟ୍ଟନାୟକଙ୍କ ଦ୍ବାରା ଶିଳାନ୍ୟାସକୁ ମନେ ପକାଇ କ୍ରେଡିଟ୍ ଛଡ଼ାଇ ନେବାକୁ ଚାହିଁଛି କଂଗ୍ରେସ ।
ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁର ଲୋକାର୍ପଣ କରିବେ । ଏହା ସହ ମାଲକାନାଗିରିରେ ୭ ମହଲା ବିଶିଷ୍ଟ ଡାକ୍ତରଖାନାକୁ ମିଶାଇ ୪୮ଟି ନୂତନ ପ୍ରକଳ୍ପର ଉଦଘାଟନ କରିବେ ନବୀନ । ଆମ ଗାଁ ଆମ ବିକାଶ କାଯ୍ୟକ୍ରମରେ ସିଧା ଲୋକଙ୍କ ସହ କଥା ହେବେ । ଏତେସବୁ କାର୍ଯ୍ୟକ୍ରମକୁ ସୁରୁଖୁରୁ କରିବାକୁ ଗ୍ରାଉଣ୍ଡ ଜିରୋରେ ପଡ଼ି ରହିଛନ୍ତି ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା । ସ୍ଥାନୀୟ ବିଧାୟକ ମାନସ ମାଡ଼କାମି ତାଙ୍କୁ ସହଯୋଗ କରୁଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବୋଲି କହିଲାଣି ମାଲକାନଗିରି ଜିଲ୍ଲା କଂଗ୍ରେସ ।
୧୯୮୨ରେ ସେତେବେଳର କଂଗ୍ରେସ ସରକାର, ଗୁରୁପ୍ରିୟା ସେତୁର ଶୁଭ ଦେଇଥିଲେ । ପରେ ଏହାର ଡିଜାଇନ ପରିବର୍ତ୍ତନ କରି ବିଜେଡି ସରକାର ପ୍ରୋଜକ୍ଟ କଲେ । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ବିଭିନ୍ନ ସମସ୍ୟା ଓ ମାଓ ହିଂସା ଲାଗି କାମ ଆଗେଇ ପାରୁ ନଥିଲା । ଅନେକ ଠିକା ସଂସ୍ଥା ଅଧାରୁ କାମ ଛାଡି ଦେଇଥିଲେ । ସିଆରପିଏଫ ସୁରକ୍ଷାରେ ୨୦୧୪ରେ ଆରମ୍ଭ ହୋଇଥିଲା ଅଧ ପନ୍ତରିଆ କାମ । ଆଉ ମାଓବାଦୀଙ୍କ ଦାଉରୁ ସେତୁକୁ ସୁରକ୍ଷା ଦେବାକୁ ସେଠାରେ ୨୪ ଘଣ୍ଟିଆ ପହରା ଦେଉଛନ୍ତି କେନ୍ଦ୍ରୀୟ ସୁରକ୍ଷା ବଳ ।
