ଗାଁ ଠାକୁରାଣୀଙ୍କ ପାଖରେ ବଳି ପଡିଲା ଛାଗ: ଛେଳି ମୁଣ୍ଡ ଭାଗ ବଣ୍ଟାକୁ ନେଇ ହୋମଗାର୍ଡଙ୍କୁ ଫାର୍ସାରେ ହାଣି ହତ୍ୟା କଲେ ଯୁବକ
ସୁନ୍ଦରଗଡ : ବଳି ପ୍ରଥାକୁ ବିରୋଧ କରାଯାଉଛି । ବଳି ବନ୍ଦ ପାଇଁ ସରକାରୀ କଟକଣା ହେବା ସହ ସଚେତନତା ମଧ୍ୟ କରାଯାୁଛି । ହେଲେ ଗାଁ ଠାକୁରାଣୀଙ୍କ ପାଖରେ ବଳି ପଡିଥିବା ଛେଳି ମୁଣ୍ଡ ଭାଗ ବଣ୍ଟାକୁ ନେଇ ହତ୍ୟାକାଣ୍ଡ ଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ । ଜଣେ ହୋମଗାର୍ଡ ହୋଇଛନ୍ତି ହତ୍ୟାର ଶୀକାର । ମିଳିଥିବା ସୂଚନା ଅନୁସାରେ ତଳସରା ଥାନାରେ ଏହି ହୋମଗାର୍ଡ ଜଣଙ୍କ କାର୍ଯ୍ୟକରୁଥିଲେ । ତାଙ୍କ ନାଁ ନବୀନ ମହାକୁଳ । ତାଙ୍କ ବୟସ ୫୯ ବର୍ଷ । ଅଭିଯୁକ୍ତ ତାଙ୍କୁ ଏକ ଫାର୍ସାରେ ହାଣଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି ।
ମିଳିଥିବା ଖବର ଅନୁସାରେ ହୋମଗାର୍ଡ ନବୀନ ଗାଁର,ସୁଖ ଶାନ୍ତି ଓ ସମୃଦ୍ଧି କାମନା କରି ଆଜି ଅପରାହ୍ନରେ ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପରେ ଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ଛାଗ ( ଛେଳି ) ବଳି ଦିଆଯାଇଥିଲା । ବଳି ପଡିବାପରେ ଛେଳି ମୁଣ୍ଡ ( ମାସଂ) ଭାଗବଣ୍ଟାକୁ ନେଇ ଗାଁର ଯୁବକ ମାନଙ୍କ ଭିତରେ ଗଣ୍ଡୋଗଳ ହୋଇଥିଲା । ଏଥିରେ କିଛି ଯୁବକ ରାଗିଯାଇ ହୋମଗାର୍ଡ ନବୀନଙ୍କୁ ଏକ ଫାର୍ସାରେ ହାଣିପକାଇ ଥିଲେ । ଘଟଣା ସ୍ଥଲରେ ହିଁ ନବୀନଙ୍କର ମୃତ୍ୟୁ ହୋଇଛି । ଥାନା ପାଖା ପାଖି ଅଞ୍ଚଳରେ ଘଟଣା ଘଟିଥିଲେ ବି ପୋଲିସ ପହଁଚି ପାରିନଥିଲା । ପରେ ଖବର ପାଇ ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି ଅଭିଯୁକ୍ତ ମାନେ ଫେରାର ହୋଇଛନ୍ତି ।
