ହଜାରୀବାଗ : ବ୍ୟବସାୟ ଭଲ ଚାଲିଲାନି । ଧାର ଉଦ୍ଧାର ଆଣିଥିବା ବାକି ଟଙ୍କା ବି ସୁଝି ପାରିଲେନି । ଦୋକାନୀମାନଙ୍କୁ ବାକି ଟଙ୍କା ଦେଇ ନପାରିବାରୁ ଲୋକ ଲଜ୍ଜା ଓ ବଦନାମ ହେବାର ଡରରେ ଗୋଟିଏ ପରିବାର ୬ ଜଣଙ୍କ ଜୀବନ ହାରିଲେ । ତିନିଜଣଙ୍କୁ ହତ୍ୟା କରି ଆତ୍ମ ହତ୍ୟା କଲେ ପରିବାର ୩ ସଦସ୍ୟ । ଏମାନଙ୍କ ଭିତରେ ଜଣେ ୬ ଓ ଜଣେ ୧୧ ବର୍ଷର ପିଲା ଅଛନ୍ତି । ଏମିତି ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡରେ ।
ବକେୟା ଅର୍ଥ ଦେଇ ନ ପାରିବା ଓ ବଦନାମ୍ ହେବା ଭୟରେ ସେମାନେ ଏମିତି ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି। ଝାଡ଼ଖଣ୍ଡର ହଜାରୀବାଗ୍ ସହରରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଛୁଆ ଅଛନ୍ତି। ତିନି ଜଣ ଆତ୍ମହତ୍ୟା କରିଥିବା ବେଳେ ଆଉ ତିନି ଜଣଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ମୃତକମାନେ ହେଲେ ଫଳ ବ୍ୟବସାୟୀ ମହାବୀର ମହେଶ୍ୱରୀ (୭୦), ତାଙ୍କ ପତ୍ନୀ କିରଣ ମହେଶ୍ୱରୀ (୬୫), ପୁଅ ନରେଶ ଅଗ୍ରୱାଲ୍ (୪୦), ବୋହୂ ପ୍ରୀତି ଅଗ୍ରୱାଲ୍ (୩୭), ନାତି ଅମନ (୧୧) ଓ ନାତୁଣୀ ୟାନ୍ଭୀ (୬)।
ମହାବୀର ଓ ତାଙ୍କ ପତ୍ନୀ କିରଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପ୍ରୀତି ଓ ୟାନ୍ଭୀଙ୍କ ମୃତଦେହ ସୋଫା ଉପରେ ପଡ଼ିଥିଲା। ଅମନଙ୍କ ବେକ କଟା ଯାଇଥିଲା। ନରେଶଙ୍କ ମୃତଦେହ ଆପାର୍ଟମେଣ୍ଟ୍ ବାହାରେ ପଡ଼ିଥିଲା। ସେ ପାଞ୍ଚ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଯାହା ଜଣାପଡ଼ିଛି ୟାନ୍ଭୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ବେଳେ ପ୍ରୀତିଙ୍କୁ ବେକ ଚିପି ହତ୍ୟା କରାଯାଇଛି। ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି ଯେ ଅମନଙ୍କୁ ଗଳା କାଟି ହତ୍ୟା କରାଯାଇଛି।
ଏଭଳି ଚରମ ନିଷ୍ପତ୍ତି ପଛରେ ସୁଇସାଇଡ୍ ନୋଟ୍ରେ ଅନେକ କାରଣ ଦର୍ଶାଯାଇଛି। ବ୍ୟବସାୟ ଭଲ ନ ଚାଲିବା, ଋଣ ନ ଶୁଝିପାରିବା, ଦୋକାନୀମାନଙ୍କୁ ବକେୟା ଅର୍ଥ ଦେଇ ନ ପାରିବା ଓ ବଦନାମ୍ ହେବା ଭୟରେ ସେମାନେ ଏମିତି ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟ୍ରେ ଲେଖାଯାଇଛି। ଏହି ଘଟଣା ବୁରାଡ଼ି ଗଣ ଆତ୍ମହତ୍ୟା ଘଟଣାକୁ ପୁଣି ତାଜା କରି ଦେଇଛି। ଦିଲ୍ଲୀର ବୁରାଡ଼ିରେ ଗୋଟିଏ ପରିବାରର ୧୧ ଜଣ ଲୋକ ସମୂହ ଆତ୍ମହତ୍ୟା କରିଥିଲେ। ଗତ ଜୁଲାଇ ୧ ତାରିଖରେ ସେମାନଙ୍କ ଶବ ଜବତ କରାଯାଇଥିଲା। ଏହା ପୂରା ଦେଶର ଛାତି ଥରାଇ ଦେଇଥିଲା।
