ଭୁବନେଶ୍ବର : ୨୦୧୮ ବିଦାୟ ସହ ବିଦାୟ ନେଇଛନ୍ତି ପ୍ରତିଷ୍ଠିତି ଅଭିନେତା ଲେଖକ କାଦର ଖାନ୍ । ୮୧ ବର୍ଷ ବୟସରେ କାନଡାରେ ତାଙ୍କର ପରଲୋକ ହୋଇଯାଇଛି । ଗତ କିଛି ସପ୍ତାହ ଧରି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। କାନାଡାରେ ହିଁ ତାଙ୍କୁ କବର ଦିଆଯିବ । ୧୯୭୩ରେ ବଲିଉଡ୍ରେ ପାଦ ଥାପିଥିବା କାଦର ଖାନ୍ ୩୦୦ ରୁ ଅଧିକ ସିନିମାରେ ତାଙ୍କ ଛାପ ଛାଡିଯାଇଛନ୍ତି ।
ଦମଦାର ଡାଏଲଗ୍, ଦମଦାର ଆକ୍ଟିଂ । ଭିଲିଆନ୍ ହୋଇ ଦର୍ଶକଙ୍କୁ ଡରାଉଥିଲେ, ଚରିତ୍ର ଅଭିନୟରେ ଦର୍ଶକଙ୍କୁ କନ୍ଦାଉ ଥିଲେ । ଆଉ ଯେତେବେଳେ ପରଦାରେ କମେଡି କରୁଥିଲେ ଦର୍ଶକ ହସି ହସି ବେଦମ୍ ହୋଇଯାଉଥିଲେ । ଏମିତି ଜଣେ ଅନୁଷ୍ଠାନ ଥିଲେ ଅଭିନେତା କାଦର ଖାନ୍। ନୂଆ ବର୍ଷରେ ହଜାର ହଜାର ଫ୍ୟାନ୍ଙ୍କୁ କନ୍ଦାଇ ଚାଲିଗଲେ ଆରପାରିକୁ। କିଏ ବା ଭୁଲିବ ତାଙ୍କ ଅଭିନୀତ ଧରମ ବୀର, ଗଙ୍ଗା ଜମୁନା ସରସ୍ବତୀ, କୁଲୀ, ଦେଶ୍ ପ୍ରେମୀ, ସୁହାଗ, ପରୱରିସ୍, ଅମର ଆକବର ଆନ୍ଥୋନୀ, ସରାବୀ, ଲାୱାରିସ୍, ମୁକଦର କା ସିକନ୍ଦର, ଖୁଦାର, ଜମାଇଁ ରାଜା ହିଟ୍ ଫିଲ୍ମ ଯେଉଁଠି ଯେଉଁଠି ସେ ଥିଲେ ସେଠି ଥିଲା ହିଟ୍ର ଫର୍ମୁଲା। ହିମତୱାଲା, କୁଲି ନଂ ୱାନ୍ , ଆଙ୍ଖେ, ଦୁହ୍ଲେରାଜା, ମେ ଖିଲାଡି ତୁ ଅନାଡି, ସାଜନଚଲେ ସଶୁରାଲ୍, ହିରୋ ନଂ ୱାନ୍ ଆଦି ସିନେମାରେ କମେଡି ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ।
କାବୁଲ୍ରୁ କାନାଡା , ଭାୟା ବଲିଉଡ୍ । କାଦର ଖାନ୍ଙ୍କ ଯାତ୍ରା ଥିଲା ବେଶ ଲମ୍ବା । କାବୁଲର କନ୍ଦାହରରେ ଅକ୍ଟୋବର ୨୨ , ୧୯୩୭ ରେ ତାଙ୍କର ହୋଇଥିଲା ଜନ୍ମ। ସିଭିଲ୍ ଇଂଜିନିୟରିଂରେ ମାଷ୍ଟର ଇନ୍ ଡିପ୍ଲୋମା କରିବା ପରେ ଇଂଜିନିୟରିଂ କଲେଜ୍ରେ ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୭୩ରେ ବଲିଉଡରେ ପାଦ ଦେଇଥିଲେ ଫିଲ୍ମ ଦାଗ୍ ଜରିଆରେ । ୩ଶହରୁ ଅଧିକ ହିନ୍ଦି ଓ ଉର୍ଦ୍ଦୁ ଫିଲ୍ମରେ ଅଭିନୟ କରିଥିବା ବେଳେ ୨୫୦ରୁ ଅଧିକ ଫିଲ୍ମରେ ସେ ଡାଏଲଗ୍ ଲେଖିଛନ୍ତି । ୧୯୮୨ରୁ ୨୦୦୫ଭିତରେ କାଦର ଖାନ ତାଙ୍କ କ୍ୟାରିଅର ଚରମ ଛୁଇଁଥିଲେ ।
ଜିତେନ୍ଦ୍ର, ଫିରୋଜ ଖାନ୍, ଅମିତାଭ ବଚ୍ଚନ, ଅନିଲ କପୁର, ଗୋବିନ୍ଦା, ଆଶ୍ରାନି ଓ ଶକ୍ତି କପୁରଙ୍କ ସହ କାଦର ଖାନଙ୍କ ଯୋଡ଼ି ଖୁବ୍ ଜମୁଥିଲା। ତାଙ୍କ ବିୟୋଗରେ କେବଳ ବଲିଉଡ଼ କାହିଁକି ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି କୋବିନ୍ଦି ଟ୍ବିଟ୍ କରି କରି କାଦର ଖାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । କାନାଡର ନାଗରିକତ୍ବ ଗ୍ରହଣ କରିଥିବା କାଦରଖାନଙ୍କୁ ସେହିଠାରେ ହିଁ କବର ଦିଆଯିବ ।
