ଭୁବନେଶ୍ବର : କୁମ୍ରାସ୍ବାମୀଙ୍କ ଶପଥ ସମାରୋହରେ ମୋଦି ବିରୋଧୀ ମେଳି । ୧୯ ବେଳକୁ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ଜୋରଦାର୍ ପ୍ରୟାସ । କଂଗ୍ରେସ ସମେତ ସବୁ ଆଞ୍ଚଳିକ ଦଳର ହେବିୱେଟ୍ କରିଛନ୍ତି ଶକ୍ତି ପ୍ରଦର୍ଶନ । କିନ୍ତୁ ଆସିଲେନି କେସିଆର୍ ଏବଂ ନବୀନ ।
ଶ
ପଥ ସମାରୋହ ନା ଶକ୍ତି ପ୍ରଦର୍ଶନ ? ବେଙ୍ଗଳୁରୁରେ ଏଚ୍. ଡି. କୁମାରସ୍ବାମୀଙ୍କ ଶପଥ ସମାରୋହରେ ମୋଦି ବିରୋଧୀ ମହାମେଣ୍ଟର ଶକ୍ତି ପ୍ରଦର୍ଶନ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ବିଏସପି ବସ୍ ମାୟାବତୀ, ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ସିପିଏମର ସୀତାରାମ ୟେଚୁରୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ଏସପି ସଭାପତି ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ବୀ ଯାଦବ ସମସ୍ତଙ୍କୁ ଦେଖିବାକୁ ମିଳିଛି ଗୋଟିଏ ମଞ୍ଚରେ । ୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ବିରୋଧୀ ବେଙ୍ଗଳୁରୁରୁ ମହାମେଣ୍ଟର ଖୁଣ୍ଟି ପୋତିଥିବା ଚର୍ଚ୍ଚାହେଉଛି।
କର୍ଣ୍ଣାଟକରେ କଂଗ୍ରେସ ସମର୍ଥନରେ ଜେଡିଏସ୍ ସରକାର ଗଢ଼ିଥିବା ବେଳେ କ୍ୟାବିନେଟ ରହିଛି ୨୨ ଅନୁପାତ ୧୧ରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିଏସ୍ ମୁଖ୍ୟ ଏଚ୍. ଡି. କୁମାରସ୍ବାମୀ । ଆଉ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଜି. ପରମେଶ୍ବର । ରାଜ୍ୟପାଳ ବାଜୁଭାଇ ବାଲା, ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ଶପଥ ସମାରୋହ ଠାରୁ ଅଧିକ ଦୃଷ୍ଟିଗୋଚର ଥିଲା ମୋଦି ବିରୋଧୀ ନେତାଙ୍କ ମେଳି । ନେତାଙ୍କ ହାବଭାବ କହୁଛି, ୧୯ ନିର୍ବାଚନ ମୋଦିଙ୍କ ପାଇଁ ନିଶ୍ଚିତ କାଠିକର ହେବ ।
ବେଙ୍ଗଳୁରୁରେ ସବୁ ଆଞ୍ଚଳିକ ଦଳର ହେବିୱେଟଙ୍କ ଯଶ୍ନ । କଂଗ୍ରେସ କ୍ୟାମ୍ପ ବି ଚଳଚଞ୍ଚଳ । ପୂରା ଭିଜୁଆଲ୍ କହୁଛି, ସୋନିଆ ଓ ରାହୁଲଙ୍କ ଟଚ୍-ରେ ରହି ଆଞ୍ଚଳିକ ଦଳଗୁଡ଼ିକ ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବାକୁ ଏହା ହିଁ ବିକଳ୍ପ । କିନ୍ତୁ ମେଳିକୁ ଯାଇ ନାହାନ୍ତି ଟିଆରଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନଯିବାକୁ ନେଇ ରାଜ୍ୟ ରାଜନୀତିରେ ବେଶ୍ କିଛି ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
କର୍ଣ୍ଣାଟକରେ ସରକାର ଗଢ଼ିବାକୁ ଚେଷ୍ଟା କରି ବିଜେପି ଅପଦସ୍ତ ହୋଇଥିବା ବେଳେ ବିରୋଧୀ ସେମାନଙ୍କ ମେଳିକୁ ମଜଭୁତ୍ କରିଛନ୍ତି । ଆଉ ୧୯ ନିର୍ବାଚନ ପୂର୍ବରୁ କୁମାରସ୍ବାମୀଙ୍କ ଶପଥ ସମାରୋହ, ବିଜେପିର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି ।
