କୋଷ୍ଟାଲ ହାଇଓ୍ବେ ପଲିଟିକ୍ସ : ବିଜେଡି ବିଜେପି ମୁହାଁମୁହିଁ

ଭୁବନେଶ୍ବର : କୋଷ୍ଟାଲ ହାଇଓ୍ବେ କୁ ନେଇ ବିଜେଡି ବିଜେପି ମୁହାଁମୁହିଁ ।  ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଦିଘା – ଗୋପାଳପୁର କୋଷ୍ଟାଲ ହାଇୱେ କାର୍ଯ୍ୟ ଆଗଉ ନଥିବାରୁ ଦିଲ୍ଲୀରେ ପ୍ରେସ ମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ସରକାର,  ଜଙ୍ଗଲ ଓ  CRZ କ୍ଲିଅରାନ୍ସ  ଦେଉନଥିବାରୁ ଏହି ପ୍ରକଳ୍ପ ଅଟକି ରହିଛି ବୋଲି ଧର୍ମେନ୍ଦ୍ର ସିଧା ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ୪୧୫  କିମି ରାସ୍ତା ବିଶିଷ୍ଟ ହାଇୱେ କାର୍ଯ୍ୟ ୨୦୧୬ରେ ଆରମ୍ଭ ହେବାର ଥିଲା । ଯାହାର ଆକଳନ ଥିଲା ୯୦୦୦ କୋଟି ଟଙ୍କା। କିନ୍ତୁ ୨ ବର୍ଷ ହେଲାଣି ଜଙ୍ଗଲ ଓ ସିଆରଜେଡ କ୍ଲିଏରାନ୍ସ ନ ମିଳିବାରୁ ପ୍ରକଳ୍ପ ଅଟକି ରହିଛି। କୋଷ୍ଟାଲ ହାଇୱେ ହେଲେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁନାମ ହୋଇଯିବ ଏବଂ ବିଜେପି ସେଥିରୁ ଫାଇଦା ପାଇଯିବ ସେଥିପାଇଁ  ଏହି ପ୍ରକଳ୍ପକୁ ବିରୋଧ କରାଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ପ୍ରେସ ମିଟ୍ ସରୁସରୁ ବିଜେଡି ଏହାର କାଉଣ୍ଟର ଜବାବ ଦେଇଛି । ଦଳ କହିଛି କୋଷ୍ଟାଲ ହାଇ- ଓ୍ବେ ପାଇଁ କେନ୍ଦ୍ର ସରକାରଙ୍କର ହିଁ ଆନ୍ତରିକତା ନାହିଁ । ପ୍ରକଳ୍ପ ଘୋଷଣା ହେବାର ଅଢେଇ ବର୍ଷପରେ ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି । ଏହାବାଦ୍ ସମୁଦ୍ର କୂଳେକୂଳେ ହାଇ-ଓ୍ବେ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ସରକାର କେତେକ ଅଞ୍ଚଳରେ ପୁରୁଣା ରୋଡ ଉପରେ ଏହାକୁ ନେବାକୁ ଚାହୁଁଛନ୍ତି । କେଉଁ ପଟେ ଏହି ହାଇଓ୍ବେ ଯିବ ସେନେଇ ରାଜ୍ୟକୁ ସବିଶେଷ ତଥ୍ୟ ଦେଉନି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ସମୁଦ୍ର କୂଳେ କୂଳେ ହାଇଓ୍ବେ ଗଲେ ରାଜ୍ୟର ପର୍ଯଟନ ଶିଳ୍ପ ସମୃଦ୍ଧ ହେବ । କିନ୍ତୁ ଏହା ନକରିବା ପଛରେ କିଛି ଠିକାଦାରଙ୍କ ସ୍ବାର୍ଥ ଜଡିତ ବୋଲି ବରିଷ୍ଠ ନେତା ଶ୍ରୀ ପ୍ରତାପ ଜେନା କହିଛନ୍ତି । ।

କୋଷ୍ଟାଲ ହାଇଓ୍ବେ ହେଲେ ଓଡିଶା ବିକାଶରେ ଯେ ଏହା ଏକ ବଡ ଯୋଗଦାନ ହେବ ସେଥିରେ ଦ୍ବିମତ ନାହିଁ । କିନ୍ତୁ ଏହି ଦୁଇଦଳଙ୍କ ଭିତରେ ଛକାପଞ୍ଛା ପାଇଁ ଯେଭଳି ପ୍ରକଳ୍ପ କାମ ଅଧାରେ ଲଟକି ରହିଥିବା ନେଇ ଆଲୋଚନା ହେଉଛି ତାହା ଓଡିଶାବାସୀଙ୍କ ପାଇଁ ତ ଭଲ ଖବର ନୁହେଁ ନିଶ୍ଚୟ ।

Leave A Reply

Your email address will not be published.