ଆଞ୍ଚଳିକ ରାଜନୀତିରେ ଗଠବନ୍ଧନ : ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ନାଁରେ ଗଢାହେଲା ନୂଆ ମେଣ୍ଟ

ହାତ ମିଳାଇଛନ୍ତି ଉତ୍କଳ ଭାରତର ଖାରବେଳ ସ୍ବାଇଁ ଓ ସମତା କ୍ରାନ୍ତି ଦଳର ବ୍ରଜ କିଶୋର ତ୍ରିପାଠୀ

ଭୁବନେଶ୍ୱର : ଆଉ ଅଢ଼େଇ ମାସର ଅପେକ୍ଷା ।  ନିର୍ବାଚନକୁ ନଜରରେ ରଖି ଆରମ୍ଭ ହୋଇଗଲାଣି ଭଙ୍ଗାଯୋଡ଼ା, ଦଳଡିଆଁ ରାଜନୀତି । ୟା ଭିତରେ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ଓ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଏକ୍‌ ହୋଇଯାଇଛି । ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ ନାଁରେ ଓଡ଼ିଶାରେ ମହାମେଣ୍ଟର ମୂଳ ଦୂଆ ପଡ଼ିଲା ବୋଲି କୁହାଯାଉଛି । ଯେଉଁଥିରେ ଅନ୍ୟ ନେତାଙ୍କୁ ମଧ୍ୟ ଯୋଡ଼ିବାର ପ୍ରୟାସ ଜାରି ରହିଛି ।
ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ । ପଡ଼ିଲା ମହାଗଠବନ୍ଧନର ମୂଳଦୂଆ । ପ୍ରଥମ ପର୍ଯ୍ୟାୟରେ ହାତ ମିଳାଇଛନ୍ତି ଉତ୍କଳ ଭାରତର ଖାରବେଳ ସ୍ବାଇଁ ଓ ସମତା କ୍ରାନ୍ତି ଦଳର ବ୍ରଜ କିଶୋର ତ୍ରିପାଠୀ । ପୂର୍ବରୁ ରାଜ୍ୟର ଛୋଟଦଳଗୁଡ଼ିକୁ ଏକାଠି କରିବା ପ୍ରୟାସରେ ଥିବା ଏହି ନେତାମାନେ ଆଗକୁ ଏଭଳି ଉଦ୍ୟମକୁ ଜୋରଦାର୍‌ କରିବେ । ଏଥି ସହ ବିଜେଡିରୁ ବିଦା ହୋଇଥିବା ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, କଂଗ୍ରେସର ବିଦା ହୋଇଥିବା ଶ୍ରୀକାନ୍ତ ଜେନାଙ୍କୁ ଏହି ଗଠବନ୍ଧନରେ ବାନ୍ଧିବାକୁ ଚେଷ୍ଟା ମଧ୍ୟ ଜାରି ରହିଛି ।


ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ତ୍ରିପାଠୀ ଓ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଦୀର୍ଘ ୧୮ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ଅପାରଗ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ମୂଳ ଲକ୍ଷ୍ୟ ହେବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦରିଦ୍ରରୁ ଅତି ଦରିଦ୍ର‌୍ୟି ହୋଇଛି। ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ସୁଧାର ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଦୁର୍ନୀତି ହଟାଇବା ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ନଦେଇ କେବଳ ଭୋଟ ଲୋଭରେ ଲୋକଙ୍କୁ ରାଜକୋଷ ଅର୍ଥ ବାଣ୍ଟିବାରେ ଲାଗିଛନ୍ତି। ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆସୁନି ବରଂ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ହୋଇପଡ଼ିଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏହି କାରଣରୁ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ ହୋଇଛି। ଅନ୍ୟ ରାଜ୍ୟରେ ଏଭଳି ସାମ୍ମୁଖ୍ୟ ଗଠନ ସଫଳ ହୋଇଛି। ତେଣୁ ଓଡ଼ିଶାରେ ‘ମାଟି’କୁ ଭଲ ପାଉଥିବା ସମଭାବାପନ୍ନ ଦଳମାନେ ଏହି ସାମ୍ମୁଖ୍ୟରେ ସାମିଲ ହେବେ ବୋଲି ଉଭୟ ନେତା ଆଶାବ୍ୟକ୍ତ କରିଛନ୍ତି। ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋ ଆଦି ସମସ୍ତଙ୍କୁ ଏହି ସାମ୍ମୁଖ୍ୟରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି ବୋଲି ସେମାନେ କହିଛନ୍ତି।
ବିଜେଡି ବିରୋଧୀଙ୍କ ମେଣ୍ଟ ହେଉଛି । ଓଡିଶା ଗଣତନ୍ତ୍ର ସମ୍ମୁଖ୍ୟକୁ ସ୍ବାଗତ କରିଛି ବିଜେପି। ହେଲେ ନିର୍ବାଚନ ପୂର୍ବରୁ ନୂଆ ଦଳକୁ ଶୀତ ଋତୁରେ ଚିଲିକାକୁ ଆସୁଥିବା ନୂଆ ପକ୍ଷୀଙ୍କ ସହ ତୁଳନା କରିବାକୁ ଚେଷ୍ଟା କରିଛି ବିଜେଡି ।

Leave A Reply

Your email address will not be published.