ମହାକାଳପଡାରେ ହେବ ନଦୀଭିତ୍ତିକ ବନ୍ଦର,ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କେନ୍ଦ୍ରାପଡାର ଜିଲ୍ଲାରେ ହେବ ନଦୀ ଭିତିକ ବନ୍ଦର ।  ମହାକାଳପଡ଼ାସ୍ଥିତ ଆଖଡ଼ାଶାଳି ଗାଁ ନିକଟରେ ମହାନଦୀରେ ନଦୀଭିତ୍ତିକ ବନ୍ଦର ସ୍ଥାପନ ହେବ। ରାଜ୍ୟ ସରକାର ପିପିପି ମୋଡରେ ଏହି ବନ୍ଦର ପ୍ରତିଷ୍ଠା କରିବେ। ଦୁଇଟି ପର୍ଯ୍ୟାୟରେ ଏହି ବନ୍ଦରକୁ ବିକଶିତ କରାଯିବ।  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ପ୍ରସ୍ତାବିତ ବନ୍ଦରରେ ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୧୮.୪୩ ମିଲିୟନ ଟନ୍ ସାମଗ୍ରୀ ପରିବହନ କ୍ଷମତା ବିଶିଷ୍ଟ ୨ଟି ବର୍ଥ ନିର୍ମାଣ ହେବ। ବନ୍ଦର ନିର୍ମାଣରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ବନ୍ଦର ପାଇଁ ୧୭୫ ହେକ୍ଟର ଜମି ଆବଶ୍ୟକ ପଡ଼ିବ। ମାଲ ପରିବହନ ପାଇଁ  ହରିଦାସପୁର-ପାରାଦୀପ ରେଳଲାଇନ୍ ଓ ଜାତୀୟ ରାଜପଥ ୫କ(ଏବେ ୫୩ ନମ୍ବର)କୁ ଏହି ବନ୍ଦର ସହ ସଂଯୋଗ କରାଯିବ। ପରେ ଏହି ବନ୍ଦରର ମାଲ ପରିବହନ କ୍ଷମତାକୁ ବାର୍ଷିକ ୪୫.୮୮ମିଲିୟନ ଟନକୁ ବୃଦ୍ଧି କରାଯିବ ଓ ଏଥିପାଇଁ ଅତିରିକ୍ତ ୧୨୫ହେକ୍ଟର ଜମି ଆବଶ୍ୟକ ହେବ। ଏହି ବନ୍ଦର ନିର୍ମାଣ ପାଇଁ ୪ଟି ସଂସ୍ଥା ଆବେଦନ କରିଥିବାରୁ ସମସ୍ତଙ୍କୁ  ରିକ୍ୱେଷ୍ଟ ଫର୍ ପ୍ରପୋଜାଲ୍(ଆରପିଏଫ୍)ରେ ସାମିଲ ନିମନ୍ତେ ନିଷ୍ପତ୍ତି ହୋଇଛି। ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରଥମ ପର୍ଯ୍ୟାୟରେ ୪୩୦୦  ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପରବର୍ତ୍ତୀ  ସମୟରେ ଏହି ବନ୍ଦର ପୂର୍ଣ୍ଣ କ୍ଷମତା ବିଶିଷ୍ଟ ହେଲେ ୧୦,୭୦୦ଜଣ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ସରକାରୀ ସୂତ୍ର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.