ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ରଥ ଉପରେ ସୁନାବେଶ । ସୁନାବେଶ ବେଶ ଅପରାହ୍ଣ ୫ଟାରେ ଆରମ୍ଭ ହୋଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ରାତି ୧୧ଟା ଯାଏ ଚାଲିବ । ମହାପ୍ରଭୁଙ୍କ ପ୍ରତ୍ୟେକ ବେଶରେ କିଛିନା କିଛି ମାଧୁର୍ଯ୍ୟ ରହିଥିବା ବେଳେ ସୁନାବେଶରେ ଐଶ୍ଚର୍ଯ୍ୟର ପ୍ରାବଲ୍ୟ ପରିସ୍ପୁଟିତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ ଉପରେ ବର୍ଷକ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି କାର୍ତ୍ତିକପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ଦଶହରା ଆଦି ତିଥିମାନଙ୍କରେ
ସୁନାବେଶ ହୋଇଥାନ୍ତି । ମାତ୍ର ବର୍ଷକରେ ଗୋଟିଏ ଦିନ ବାହୁଡାଯାତ୍ରାର ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ତିନିରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଥାଏ । ପ୍ରତିବର୍ଷ ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ରଥଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଠାକୁରମାନଙ୍କର ସୁନାବେଶ କରାଯାଇ ଆସୁଛି । ମହାପ୍ରଭୁ ଧାରଣ କରୁଥିବା ମହଣ ମହଣ ଓଜନର ଦୁର୍ଲ୍ଲଭ ସ୍ୱର୍ଣ୍ଣଅଳଙ୍କାର ବଡଦେଉଳର ବାହାର ଭଣ୍ଡାର ଘରୁ ଆସି ମହାପ୍ରଭୁଙ୍କୁ ସଜ୍ଜିତ କରାଯିବ । ବିଭିନ୍ନ କାରଣରୁ କେତେକ ସ୍ୱର୍ଣ୍ଣ ଆଭୂଷଣ ଏବେ ରଥ ଉପରକୁ ଅଣାଯାଇପାରୁନାହିଁ । ସୁନାବେଶରେ କେତେକ ନିର୍ଦ୍ଧିଷ୍ଟ ସେବକ ଏକକ ସେବା ବା ଗୋଷ୍ଠୀଗତ ସେବା କରିଥାନ୍ତି । ଏହି ବେଶରେ ପ୍ରଭୁ ବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନୀ, ଘାଗଡାମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାହାଡାମାଳି, ବାଘନଖିମାଳି, ସେବତୀମାଳି, ତ୍ରିଖଣ୍ଡିକା ଓ କମର ପଟିରେ ସଜ୍ଜିତ ହେବେ । ବଳଭଦ୍ରଙ୍କ ଦୁଇହସ୍ତରେ ଶୋଭା ପାଇବ ହଳ ଓ ମୂଷଳ । ଶ୍ରୀଜଗନ୍ନାଥ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଓଡିଆଣୀ, କର୍ଣ୍ଣ, ଚନ୍ଦ୍ରସୂର୍ଯ୍ୟ, ଆଡକାନୀ, ଘାଗଡାମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି,ହରିଡା କଦମ୍ବମାଳି, ବାହାଡାମାଳି, ତାବିଜମାଳି, ସେବତୀମାଳି, କମର ପଟିରେ ତ୍ରିଖଣ୍ଡିକା ଲଗାଇବେ । ଦୁଇହସ୍ତରେ ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ ଧାରଣ କରିବେ । ଦେବୀ ସୁଭଦ୍ରା ସ୍ୱର୍ଣ୍ଣ କିରିଟି, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡାମାଳି, କଦମ୍ବମାଳି ଓ ସେବତୀମାଳିରେ ସଜ୍ଜିତ କରାଯିବ । ସୁଭଦ୍ରା ଧାରଣ କରିବେ ଦୁଇଟି ତଡଗି ।
Next Post
