ରାହୁଲଙ୍କ ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ନୂଆ ଷ୍ଟଣ୍ଟକୁ ନେଇ ମୁହାଁ ମୁହିଁ

ଭୁବନେଶ୍ବର : ରାହୁଲଙ୍କ ନୂଆ ଷ୍ଟଣ୍ଟ । ଋଣଛାଡ ନାରା ପରେ ଏବେ ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଘୋଷଣା ।  ଚାଷୀ ଓ ଗରିବ ସବୁବେଳେ ରାଜନୀତି ଚେସବୋର୍ଡରେ ଥିବାରୁ ସବୁଦଳ ମନଲୋଭା ଘୋଷଣାରେ ମାତିଛନ୍ତି । ଏମାମଲାରେ ରାହୁଲ ଅନ୍ୟଦଳ ଠାରୁ ଆଗରେ ଅଛନ୍ତି ।

ନିର୍ବାଚନକୁ ଆଖିରେ ରଖି ରାହୁଲଙ୍କ ଆଉ ଏକ ଘୋଷଣା । ଗରିବଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ପ୍ରଦାନର ଘୋଷଣା । ଛତିଶଗଡରେ ଏକ ରାଲିରେ ଯୋଗଦେଇ ରାହୁଲ ଏଭଳି ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ନିର୍ବାଚନ ବୈତରଣୀ ପାର ହେବାକୁ ରାହୁଲ ଯେଉଁ ପ୍ରତିଶ୍ରୁତି ଫିଙ୍ଗୁଛନ୍ତି ତାକୁନେଇ ବିରୋଧୀ ଖପ୍ପା । କହିଛନ୍ତି ରାହୁଲଙ୍କ ମୁଣ୍ଡକୁ ଯାହା ଆସୁଛି ତାହା କହି ଭୋଟରଙ୍କ ମନ ଲୋଭାଇବା ଯୋଜନାରେ ଅଛନ୍ତି । କିନ୍ତୁ ଅର୍ଥନୀତି ଉପରେ ଏହାର ପ୍ରଭାବ କଣ ପଡିବ ତାହା ଚିନ୍ତା କରୁନାହାଁନ୍ତି । ୫୦ ବର୍ଷ ଧରି କେନ୍ଦ୍ରରେ କ୍ଷମତା ଦଖଲ କରିଥିବା କଂଗ୍ରେସ ଗରୀବି ଦୂର କରିବାକୁ କଣ କରିଛି ତାର ହିସାବ ମାଗିଛନ୍ତି ବିରୋଧୀ ।

ଶତୁରୀ ଦଶକରେ ଇନ୍ଦିରା ଗାନ୍ଧି ଗରିବୀ ହଟାଓ ନାରା ଦେଇ କ୍ଷମତାକୁ ଆସିଥିଲେ । ସେବେଠୁ ସବୁ ଦଳଙ୍କ ଗରିବୀଙ୍କ ପ୍ରତି ଦରଦ ଫେସନ ହୋଇଯାଇଛି । କିନ୍ତୁ ବାସ୍ତବ ଚିତ୍ର ଅଲଗା । ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାଇ ଭାରତରେ ଗରିବି ହଟାଇବାକୁ ପର୍ଯ୍ୟାପ୍ତ ପ୍ରୟାସ କରାଯାଇନି । ଏଥିପାଇଂ ଜନସଂଖ୍ୟା ବୃଦ୍ଧି, କୁଶଳୀ ଶ୍ରମିକ ଓ ବୈଷୟିକ ଶିକ୍ଷାର ଅଭାବ, ଶିଳ୍ପାୟନ ଠିକ୍ ଭାବେ ନହେବା, ରାଷ୍ଟ୍ରୀୟ ଉତ୍ପାଦନ ସ୍ତର କମ୍ ରହିବା , ବେରୋଜଗାର ଆଦି ଅନେକ ସମସ୍ୟା ଦାୟୀ । କଂଗ୍ରେସ କିନ୍ତୁ ରାହୁଲଙ୍କ ଏଭଳି ଘୋଷଣାରେ ଖୁସ୍ । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଘୋଷଣା ମୁତାବକ କଂଗ୍ରେସ ସରକାର କୃଷିଋଣ ଛାଡ କରିଥିବାରୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ବି କାର୍ଯ୍ୟକାରୀ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ କଂଗ୍ରେସ କହିଛନ୍ତି ।ଗରିବି ହଟାଓ ନାରା ଇନ୍ଦିରାଙ୍କୁ ସିନା ସଫଳତା ଦେଇଥିଲା । ହେଲେ ପରେ ଆଉ ଗରିବଙ୍କ ନାଁରେ କୌଣସି ସ୍କିମ କଂଗ୍ରେସ ପାଇଁ ବରଦାନ ହେଲାନାହିଁ । କାରଣ ଗରିବି ହଟାଓ କେବଳ ଏକ ସ୍ଲୋଗାନ ହୋଇ ରହିଗଲା । ଗରିବଙ୍କ ପାଇଁ ରାହୁଲ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଘୋଷଣା କଂଗ୍ରେସକୁ କେତେ ନିର୍ବାଚନୀ ଫାଇଦା ଦେବ ତାକୁ ଦେଖିବାକୁ ହେବ।

Leave A Reply

Your email address will not be published.