ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱାରୀରେ ଫସିଥିବା ଦୁଇ ଜେସିବି ଅପରେଟରଙ୍କ ମଧ୍ୟରୁ ଘନଶ୍ୟାମ ଗୁରୁଙ୍କ ମୃତଦେହ ଠାବ ହୋଇଛି । ଜେସିବି ଡ୍ରାଇଭର୍ କ୍ୟାବିନରେ ହିଁ ତାଙ୍କ ମୃତଦେହ ପଡ଼ିଛି । କିନ୍ତୁ ବାହାରକୁ ଅଣାଯାଇ ପାରିନାହିଁ । ସେପଟେ ଅନ୍ୟଜଣେ ଅପରେଟର୍ ସଞ୍ଜୟ ଦାସଙ୍କ ମୃତଦେହ ଦେଖିବାକୁ ମିଳୁ ନଥିବା ବେଳେ ଜେସିବି ତଳେ ରହି ଯାଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାର ୧୧ ଦିନ ପରେ ଠାବ ହୋଇଛି ଜଣଙ୍କ ମୃତଦେହ । ସେନା ସହାୟତାରେ ଉଦ୍ଧାର କାମ ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ସୁଦ୍ଧା ୭ଟି କଂଟ୍ରୋଲ୍ ବ୍ଲାଷ୍ଟିଂ ହୋଇଥିଲା । ଶନିବାର ଜେସିବିର ଅଳ୍ପ କିଛି ଭାଗ ଦେଖିବାକୁ ମିଳିଥିଲା । ଗତକାଲି ଆଉ କଂଟ୍ରୋଲ୍ ବ୍ଲାଷ୍ଟିଂ ହୋଇନି । ତେବେ ହାତ ହତିଆରରେ ପଥର ଓ ମାଟି ଆଡ଼େଇ ଘନଶ୍ୟାମ ଗୁରୁଙ୍କ ମୃତଦେହ ଠାବ କରିଛି ଉଦ୍ଧାରକାରୀ ଟିମ୍ । ଅନ୍ୟଜଣେ ଜେସିବି ଅପରେଟର୍ ସଞ୍ଜୟ ଦାସଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳିନି । ଯେତେଦୂର ଆଶା, ସଞ୍ଜୟ ହିଁ ଆହୁରି ତଳେ ରହି ଯାଇଛନ୍ତି । ତେଣୁ ଜେସିବି ବାହାର କରିବା ପରେ ହିଁ ତାଙ୍କ ମୃତଦେହ ଠାବ ହୋଇପାରେ । ପୋଲିସ୍, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ହାର୍ ମାନିଥିବା ବେଳେ ଉଦ୍ଧାର କାମରେ ସାମିଲ୍ ହୋଇଛି ସେନାର ଟେକ୍ନିକାଲ୍ ଟିମ୍ । କିନ୍ତୁ ପାହାଡ଼ ଉପରୁ ପଥର, ମାଟି ଏମିତି ଧସିଛି ଯେ, ସେନା ମଧ୍ୟ ନାକେଦମ୍ ହୋଇଗଲାଣି ।
