ଶ୍ରୀମନ୍ଦିର ପରିଚାଳନା ନେଇ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା ନେଇ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟ ସରକାର । ସୁରେଶ ଚନ୍ଦ୍ର ମହାପାତ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମହିମୋହନ ତ୍ରିପାଠୀଙ୍କୁ ନେଇ କମିଟି ଗଠନ କରାଯାଇଛି । ଏହି କମିଟି ଦେଶର ଅନ୍ୟ ପ୍ରତିଷ୍ଠିତ ମନ୍ଦିର ର ପରିଚାଳନା ଶୈଳୀ ଅନୁଧ୍ୟାନ କରିବ ।

ସୁପ୍ରିମକୋର୍ଟଙ୍କ ଛାଟ ପରେ ଏବେ ଅକଳରେ ଶ୍ରୀମନ୍ଦିର ପ୍ରଶାସନ ।  ପୂର୍ବରୁ ସେବାୟତଙ୍କୁ ଅଡ଼େଇ ଅଡ଼େଇ ବିଭିନ୍ନ ମନ୍ଦିର ଦର୍ଶନ କରି ଶୃଙ୍ଖଳା ଶିଖିବାକୁ ପରାମର୍ଶ ଦେଉଥିବା ଶ୍ରୀମନ୍ଦିର ପ୍ରଶାସନ ସହିତ ସଂପର୍କ ରଖିଥିବା ବାବୁମାନେ ଏବେ ନିଜେ ଯିବେ ବାହାରକୁ । ବାହାର ରାଜ୍ୟର ପ୍ରତିଷ୍ଠିତ ମନ୍ଦିରଗୁଡ଼ିକର ପରିଚାଳନା ଶୈଳୀ ନିଜେ ଦେଖିବେ ନିଜେ ଶଖିବେ ଆଉ ପୁରୀରେ କେମିତି ପ୍ରୟୋଗ କରିବେ ସେକଥା ଚିନ୍ତା କରିବେ। ଏନେଇ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରହିଛନ୍ତି ପୂର୍ବତନ ପ୍ରଶାସକ ତଥା ଜଙ୍ଗଲ ପରିବେଶ ସଚିବ ସୁରେଶ ମହାପାତ୍ର, ଆଇଜି ସୌମେନ୍ଦ୍ର  ପ୍ରିୟଦର୍ଶୀ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକର୍ତ୍ତା ମହିମୋହନ ତ୍ରିପାଠୀ। ବୈଷ୍ଣୋଦେବୀ ମନ୍ଦିର, ସୋମନାଥ ମନ୍ଦିର, ଅମ୍ରିତସରସ୍ବର୍ଣ୍ଣ ମନ୍ଦିର , ତିରୁପତି ମନ୍ଦିର ଆଦି ମନ୍ଦିର ବୁଲି ସେଠାରେ କେମିତି ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ସେଠାରେ କେମିତି ପାଣ୍ଠି ସୁପରିଚାଳନା କରାଯାଉଛି ଏସବୁ କିଛି ବୁଲି ଦେଖିବେ।  ଆସନ୍ତା ୩୦ ତାରିଖ ସୁଦ୍ଧା କମିଟି ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । କମିଟି ଗଠନ କରିବାକୁ ଗତ ୮ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେବାୟତ ଭକ୍ତଙ୍କଠାରୁ ଦକ୍ଷିଣା ପାଇଁ ଆଉ ଜିଦ କରିନାହାନ୍ତି। ସେହିପରି ହୁଣ୍ଡିରେ ପୂର୍ବରୁ ୨ ଲକ୍ଷରୁ ୩ ଲକ୍ଷ ଆୟ ହେଉଥିବା ବେଳେ ୯ ତାରିଖରେ ୪ ଲକ୍ଷ ଡେଇଁଥିଲା, ୧୦ ତାରିଖରେ ୧୦ ଲକ୍ଷ ଏବଂ ୧୧ ତାରିଖରେ ୭ ଲକ୍ଷରୁ ଅଧିକ ଆୟ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଜଜ୍‌ ପ୍ରଶାସନର କାର୍ଯ୍ୟ ଶୈଳୀ ଅନୁଧ୍ୟାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଛାଟରେ ରାଜ୍ୟ ସରକାର ବି ଅନୁରୂପ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି।

Leave A Reply

Your email address will not be published.