ପୁରୀ : ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ । ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦେଶ ପରେ ଆଜି ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସୁପ୍ରିମକୋର୍ଟଙ୍କ ରିଟ୍ ପିଟିସନ ୬୪୯/୨୦୧୮ ରାୟ ଆଧାରରେ ଉଭୟ ଭକ୍ତ ଓ ସେବାୟତଙ୍କ ଉଦେଶ୍ୟରେ ନିର୍ଦେଶ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଆଇନମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ା ପାଳନ କରାଯିବ । ଏତେବର୍ଷ ପରେ ଶ୍ରୀମନ୍ଦିର ପ୍ରସଙ୍ଗରେ ସୁପ୍ରିମ୍ ଛାଟକୁ ନେଇ ଭକ୍ତଙ୍କ ମନରେ ଭରିଛି ଆଶ୍ବସ୍ଥି ।
ଶ୍ରୀମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଛାଟ । ସାଇଜ୍ ହେବ ଶ୍ରୀମନ୍ଦିର ପ୍ରଶାସନ । ସାଇଜ୍ ହେବେ ସେବାୟତ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଠାରୁ ଶ୍ରୀଜିଉଙ୍କ ଉଦେଶ୍ୟରେ ଦିଆଯାଉଥିବା ଦାନ ଅର୍ଥ, ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି ବା ବସ୍ତୁ ଶ୍ରୀମନ୍ଦିରର କୌଣସି ସେବକ, ସେମାନଙ୍କ ସହଯୋଗୀ କିମ୍ବା କର୍ମଚାରୀ ଗ୍ରହଣ କରିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଏଭଳି କଟକଣା ପରେ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିରେ ଭକ୍ତଙ୍କ ଠାରୁ କୌଣସି ଦାନ ନନେବାକୁ ସେବାୟତଙ୍କୁ ନିର୍ଦେଶ ଦିଆଯାଇଛି । ସେପଟେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ି ପାଳନ କରାଯିବ ।
ସେହିଭଳି ଭକ୍ତମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି, ସେମାନେ ଶ୍ରୀମନ୍ଦିରରେ ଥିବା ହୁଣ୍ଡି, ଦାନବାକ୍ସରେ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା କାର୍ଯ୍ୟାଳୟ ଅଥବା ସୂଚନା କେନ୍ଦ୍ରରେ ମହାପ୍ରଭୁଙ୍କ ଉଦେଶ୍ୟରେ ଦାନ ପ୍ରଦାନ କରି ସେଇ ବାବଦ ରସିଦ୍ ଗ୍ରହଣ କରବେ । ସେବାୟତଙ୍କ ଦ୍ବାରା ବାରମ୍ବାର ଶୋଷଣର ଶିକାର ହେଉଥିବା ଭକ୍ତସମାଜକୁ ଏବେ ସୁପ୍ରିମକୋର୍ଟଙ୍କ ଏଭଳି କଟକଣା ଆଶ୍ବସ୍ଥ କରିଛି ।
ଏଥର ଭକ୍ତଙ୍କ ଦାନ ଅର୍ଥ ସିଧା ହୁଣ୍ଡିକୁ ଯିବ । ଏହାକୁ ନିଶ୍ଚିତ କରିବା ପାଇଁ ସିସିଟିଭିର ସହାୟତା ନିଆଯିବ । ଏଥି ସହ ଭକ୍ତଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଅନୁଧ୍ୟାନ କରି ଜିଲ୍ଲାକୋର୍ଟ ରିପୋର୍ଟ ଦେବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ସେପଟେ ସୁପ୍ରିମକୋର୍ଟଙ୍କ ଏଭଳି କଟକଣା ଓ ଶ୍ରୀମନ୍ଦିର ପ୍ରଶାସନର ନୋଟିସକୁ ଦେଖି ପ୍ରମାଦ ଗଣିଲେଣି ସେବାୟତ ।
ପୁରୀ ଶ୍ରୀମନ୍ଦିର ପରିଚାଳନାରେ ବାରମ୍ବାର ଅବ୍ୟବସ୍ଥାକୁ ନେଇ ଅଣନିଶ୍ବାସୀ ହୋଇପଡ଼ିଲେଣି ଭକ୍ତସମାଜ । ଏମିତିରେ ଏବେ ସୁପ୍ରିମ ଛାଟ ଉଭୟ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଲାଇନ୍କୁ ଆଣିବ ବୋଲି ଭକ୍ତଙ୍କ ମନରେ ନୂଆ ଆଶା ଭରିଛି ।
