ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି । ଦୁଇ ସଦନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ତେବେ ବହୁଚର୍ଚ୍ଚିତ ତିନି ତଲାକ୍ ବିଲ୍ ରାଜ୍ୟସଭାରେ ପାସ୍ ନହୋଇ ପୁଣି ଅଟକି ରହିଛି । ଗତ ଜୁଲାଇ ୧୮ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଫଳପ୍ରଦ ହୋଇପାରିଛି । ଉଭୟ ସଦନରେ ୨୦ଟି ବିଲ୍ ପାସ୍ ହୋଇଛି । ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଅନୁସୂଚୀତ ଜାତିଜନଜାତି ଆଇନରେ ସଂଶୋଧନ ବିଲ୍ ଓ ପଳାତକ ଆର୍ଥିକ ଅପରାଧୀ ବିଲ୍ ପାରିତ ହୋଇଯାଇଛି । ଏହି ଅବସରରେ ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି, ଗତ ବଜେଟ୍ ଅଧିବେଶନ ତୁଳନାରେ ଏଥର ଅଧିବେଶନ ଅଧିକ ଫଳପ୍ରଦ ଓ ସନ୍ତୋଷଜନକ ହୋଇଛି । ଏଥର ଅଧିବେଶନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି, ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇବା । ଏଥର ମୌସୁମୀ ଅଧିବେଶନରେ ଲୋକସଭାର ୮ ଘଣ୍ଟା ୨୬ ମିନିଟ୍ ହଟ୍ଟଗୋଳରେ ନଷ୍ଟ ହୋଇଥିଲା । ତେବେ ପ୍ରମୁଖ ବିଷୟରେ ଆଲୋଚନା ପାଇଁ ଗୃହର ବୈଠକ ୨୧ ଘଣ୍ଟାରୁ ଅଧିକ ସମୟ ବସିଥିଲା । ଅଧିବେଶନ କାଳରେ ସରକାର ୭୫ଟି ମୌଖିକ ଉତ୍ତରକୁ ମିଶାଇ ସମୁଦାୟ ୪୧୪୦ ପ୍ରଶ୍ନର ଉତ୍ତର ଦେଇଥିଲେ । ଦେଶର ବନ୍ୟା ଓ ମରୁଡ଼ି ପରିସ୍ଥିତି ସମ୍ପର୍କରେ ସ୍ୱଳ୍ପକାଳୀନ ଆଲୋଚନା ହୋଇଥିଲା । କମିଟିର ୬୨ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା । ଗୃହ ମୁଲତବୀ ହେବା ପୂର୍ବରୁ ସ୍ୱାଧୀନତା ଦିବସ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସଂସଦର ଉଚ୍ଚସଦନ ରାଜ୍ୟସଭାରେ ତିନି ତଲାକ୍ ବିଲ୍ ଆଲୋଚନା ପାଇଁ ଆସିପାରିଲା ନାହିଁ । ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏଥିନେଇ ସହମତି ପ୍ରକାଶ ନପାଇବାରୁ ଆଜି ମୌସୁମୀ ଅଧିବେଶନର ଶେଷ ଦିବସରେ ଏହା ଉପରେ ଆଲୋଚନା ହୋଇପାରିଲା ନାହିଁ । ସରକାର ଏହି ବିଲକୁ ଚଳିତ ଅଧିବେଶନରେ ପାସ୍ କରିବାର ଲକ୍ଷ୍ୟ ରଖିଥିଲେ । ଗତକାଲି ବିଲ୍ରେ ତିନୋଟି ସଂଶୋଧନ ମଧ୍ୟ ଆଣିଥିଲେ । କେନ୍ଦ୍ର କ୍ୟାବିନେଟ୍ ମୁସଲିମ୍ ମହିଳା (ବିବାହରେ ଅଧିକାରର ସୁରକ୍ଷା) ବିଲ୍, ୨୦୧୭ରେ ସଂଶୋଧନକୁ ଅନୁମୋଦନ କରିଥିଲା । ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ସରକାରର ସଂଖ୍ୟାଗରିଷ୍ଠତା ନଥିବାରୁ ଗତ ବଜେଟ୍ ଅଧିବେଶନରେ ଏହି ବିଲ୍ ପାସ୍ ହୋଇପାରି ନଥିଲା । ଆଜି ରାଜ୍ୟସଭା ବାରମ୍ବାର ମୁଲତବୀ ରହିବା ପରେ ଅପରାହ୍ନ ୨.୩୦ରେ ବୈଠକ ବସିବା ମାତ୍ରେ ଅଧ୍ୟକ୍ଷ ଏମ୍ ଭେଙ୍କିଆ ନାଇଡ଼ୁ କହିଥିଲେ, ସହମତି ଅଭାବରୁ ତିନିତଲାକ୍ ବିଲ୍ ଉପରେ ଆଜି ଗୃହରେ ଆଲୋଚନା ସମ୍ଭବ ହେଉନାହିଁ । ଉଲ୍ଲେଖଯୋଗ୍ୟ ଯେ ଗତ ଡିସେମ୍ବରରେ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା । ଏବେ ଏଥିରେ ଅଣାଯାଇଥିବା ସଂଶୋଧନ ପ୍ରସ୍ତାବ ରାଜ୍ୟସଭାରେ ଗୃହୀତ ହେବାପରେ ପୁଣି ତାହା ଲୋକସଭାକୁ ପଠାଯିବ
