୩୦ରୁ ଅନଶନରେ ବସିବେ ଆନ୍ନା ହଜାରେ

ମୁମ୍ବାଇ : ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୩ ଅନୁଯାୟୀ କେନ୍ଦ୍ର ସରକାର ଲୋକପାଳ ଓ ଲୋକାୟୁକ୍ତଙ୍କୁ ନିଯୁକ୍ତ କରୁ ନଥିବାରୁ ତାହାକୁ ପ୍ରତିବାଦ କରି ଦୁର୍ନୀତି ବିରୋଧୀ ଆନ୍ଦୋଳନର ମହାନ ସାଧକ ଓ ସମାଜସେବକ ଆନ୍ନା ହଜାରେ ଜାନୁଆରୀ ୩୦ରୁ ଅନଶନରେ ବସିବାକୁ ଘୋଷଣା କରିଛନ୍ତି । ଆନ୍ନା ତାଙ୍କ ଗ୍ରାମ ମହାରାଷ୍ଟ୍ରର ରାଲେଗାଁ-ସିଦ୍ଧିରେ ଅନଶନ ଆରମ୍ଭ କରିବେ । ୨୦୧୩ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଗଠନ କରାଯାଇଥିଲା । ତା’ପରେ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାସୀନ ହୋଇଥିଲା । ପାଞ୍ଚବର୍ଷ ବିତିବାକୁ ବସିଥିଲେ ମଧ୍ୟ ମୋଦୀ ସରକାର ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ପୁଣି ଅନଶନରେ ବସିବା ପାଇଁ ଆନ୍ନା ନିଷ୍ପତ୍ତି ନେଇଛନ୍ତି । ଅନଶନରେ ବସିବା ପୂର୍ବରୁ ଆନ୍ନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଲୋକପାଳ ନିଯୁକ୍ତ ସମ୍ପର୍କରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ନିକଟକୁ ଆନ୍ନା ଚିଠିରେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତ ପ୍ରସଙ୍ଗରେ ଏନ୍ଡିଏ ସରକାର ନିରବତା ଅବଲମ୍ବନ କରିଆସୁଛନ୍ତି । ଆନ୍ନା ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିଛ ପ୍ରତିଶ୍ରୁତିକୁ ସତ ମଣି ବିରାଟ ଭୁଲ୍ କରିଛନ୍ତି । ଆନ୍ନାଙ୍କ ଯୁକ୍ତିକୁ ଏଡ଼ାଇବା ପାଇଁ ମୋଦୀ ସରକାର ପ୍ରଥମେ ଲୋକସଭାର ବିରୋଧୀ ଦଳ ନେତାଙ୍କ ଆଳ ଦେଖାଇ କହିଥିଲେ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତ ପାଇଁ ଗଠିତ ଚୟନ କମିଟିରେ ଲୋକସଭାର ବିରୋଧୀ ଦଳ ନେତା ନାହାନ୍ତି । ପରେ ଚୟନ କମିଟିକୁ ଯୋଗ୍ୟ ବିଚାରକ ମିଳୁନାହାନ୍ତି କହି ଏଡ଼ାଇ ଯାଇଥିଲେ । ଗତ ମାର୍ଚ୍ଚ ୨୩ରେ ରାମଲୀଳା ମଇଦାନରେ ଆନ୍ନା ହଜାରେ ଅନଶନରେ ବସିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆନ୍ନା ଅନଶନରୁ ଓହରିଥିଲେ । ଅକ୍ଟୋବର ଦୁଇ ସୁଦ୍ଧା ଲୋକପାଳ ଓ ଲୋକାୟୁକ୍ତଙ୍କୁ ନିଯୁକ୍ତ କରିବା ପାଇଁ ଆନ୍ନା କେନ୍ଦ୍ର ସରକାରଙ୍କୁ ସମୟ ଦେଇଥିଲେ । ତଦନୁଯାୟୀ ଅକ୍ଟୋବର ୨ରେ ରାଲେଗାଁ-ସିଦ୍ଧିରେ ଆନ୍ନା ଅନଶନ ପାଇଁ ପ୍ରସ୍ତୁତି କରୁଥିଲେ । ଲୋକପାଳ ଓ ଲୋକାୟୁକ୍ତଙ୍କ ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଥିବାରୁ ଅନଶନରେ ନ ବସିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ତାଙ୍କୁ ଅନୁରୋଧ କରିଥିଲେ । ତଦନୁଯାୟୀ ଆନ୍ନା ସରକାରଙ୍କୁ ଜାନୁଆରୀ ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲେ । ମୋଦୀ ସରକାର ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତ କରିବାକୁ ଚାହୁଁ ନଥିବା ସ୍ପଷ୍ଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.