ଭୁବନେଶ୍ୱର : ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ଦରକାର । ଭାରତ ବର୍ଷର ଘରେଘରେ ଘରେ ସ୍ୱଚ୍ଛ ଇନ୍ଧନ ପହଞ୍ଚିବା ଦାୟିତ୍ୱ ନେଇ କେନ୍ଦ୍ରରେ ମୋଦୀ ସରକାର କାମ କରୁଛନ୍ତି । ବିଶ୍ୱର ଅନେକ ଗରିବ ରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନାକୁ ମଡେଲ୍ ଯୋଜନା ଭାବେ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଉଜ୍ଜଳା କନେକ୍ଟ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନବ ସଭ୍ୟତା ଆରମ୍ଭ ହେବା ଦିନଠୁ ଖାଦ୍ୟର ଅବଶ୍ୟକତା ଥିଲା । ଖାଦ୍ୟକୁ ପ୍ରକ୍ରିୟାକରଣ କରିବା ହେଲା ଚୁଲି ଏବଂ ଏହା ମାଧ୍ୟମରେ ଖାଦ୍ୟ ମାଆମାନଙ୍କ ଦ୍ୱାରା ରୋଷେଇ ହେଉଥିଲା । ଚୁଲିରୁ ବାହାରୁଥିବା ଧୂଆଁରେ ଭାରତବର୍ଷରେ ୬୫ କୋଟି ମହିଳା ମାନଙ୍କ ଭିତରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା । କିନ୍ତୁ ସମାଧାନର ବାଟ ଫିଟୁନଥିଲା । ହେଲେ ଗରିବ ଘରେ ଜନ୍ମ ନେଇଥିବା ପ୍ରଧାନମନ୍ତ୍ରୀ ଏକଥା ଚିନ୍ତା କରି ଏପରି ଏକ ଯୋଜନା ପ୍ରଣୟନ କଲେ । ଯାହାଦ୍ୱାରା ଭାରତବର୍ଷରେ ଆଜି ୧୦୦ରେ ପାଖାପାଖି ୯୦ ଜଣ ମହିଳାଙ୍କ ଘରେ ଉଜ୍ଜଳା ତଥା ଏଲ୍ପିଜି ଗ୍ୟାସ ପହଞ୍ଚିପାରିଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜଣେ ବ୍ୟକ୍ତି ଦୁନିଆକୁ ପରିବର୍ତ୍ତନ କରିବାର ଆତ୍ମବିଶ୍ୱାସ ରଖିଲେ ତା’ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ସର୍ବଦା ନିଜ ବିଷୟରେ ନୁହେଁ ସମାଜ ତଥା ଦେଶ ବିଷୟରେ ଚିନ୍ତା କରି କାର୍ଯ୍ୟ କରିବା ଉଚିତ । କୋଣାର୍କ ସୂର୍ଯ୍ୟମନ୍ଦିର ପାଇଁ ୧୧୯୯ କାରିଗରଙ୍କୁ କେହି ମନେରଖିଲେ ନାହିଁ ବରଂ କୋଣାର୍କ ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ଅଳ୍ପ ବୟସର କାରିଗର ଧର୍ମପଦକୁ ଏ ଜାତି ମନେ ରଖିଛି ।ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉଜ୍ଜଳା ଦିଦିର ଗୀତ ପାଇଁ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭାରତବର୍ଷରେ ପରିଚିତ ହୋଇପାରିଥିଲା । ଜିଲ୍ଲାର ମଦନପୁର, ଥୁଆମୂଳ,ରାମପୁର ପାଇଁ ଏହି ମାଟିର ପ୍ରଦୀପ ନାମକ ଜଣେ ଯୁବକ ଉଜ୍ଜଳା ଦିଦିର ଗୀତ ଲେଖି କଳାହାଣ୍ଡିକୁ ନୂଆ ପଚିଚୟ ଦେଇଛନ୍ତି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ଅଏଲ୍ର ସିଜିଏମ୍ ପ୍ରୀତିଶ ଭରତ ପରିଚାଳନା କରିଥିଲେ ।
Next Post
