ଭୁବନେଶ୍ବର : ଆ ଓଡ଼ିଆ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଏ ଫିଲ୍ମର ନାୟକ ଓ ନାୟିକା ଭାବେ ପର୍ଦ୍ଦାକୁ ଓହ୍ଲାଉଛନ୍ତି ସମ୍ବିତ୍ ଓ ରୀୟା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ ବେହେରା । ନିରଞ୍ଜନ କହନ୍ତି, ଫିଲ୍ମଟିକୁ ଦର୍ଶକ ନିଶ୍ଚିତ ପସନ୍ଦ କରିବେ । କାରଣ ଦର୍ଶକ ଦ୍ୱାପର ଯୁଗର ମହାଭାରତ ପଢ଼ିଛନ୍ତି ଓ ଟିଭିରେ ଦେଖିଛନ୍ତି । ହେଲେ ଏ ଯୁଗର ଅର୍ଥାତ୍ କଳିଯୁଗର ମହାଭାରତ ଦେଖିବେ ‘ପ୍ରେମ ପାଇଁ ମହାଭାରତ’ରେ । ପୁରୁଣା ମହାଭାରତର ପାଣ୍ଡବ ପାଞ୍ଚଭାଇଙ୍କ ଭିତରେ ସ୍ନେହ, ଶ୍ରଦ୍ଧା ଥିଲା । ସେହି କାରଣରୁ ସେମାନେ ଦ୍ରୌପଦୀଙ୍କୁ ମଧ୍ୟ ସମାନ ଭାବରେ ବାଣ୍ଟି ଦେଇଥିଲେ ନିଜ ନିଜ ମଧ୍ୟରେ । ମାତ୍ର ଏ ମହାଭାରତର କଥା ଅଲଗା । ଜଣେ ନାୟିକା ରୀୟାଙ୍କୁ ପାଇବା ପାଇଁ ପାଞ୍ଚଭାଇ ପରସ୍ପର ମଧ୍ୟରେ ଲଢ଼େଇରେ ବ୍ୟସ୍ତ । ସମ୍ବିତ୍ଓ ରୀୟାଙ୍କ ବ୍ୟତୀତ ଅନ୍ୟାନ୍ୟ ଚରିତ୍ରରେ ସମରେଶ, ପିଣ୍ଟୁ ନନ୍ଦ, ଶ୍ରୀତମ, ପୁପିନ୍ଦର, ବବି ମିଶ୍ର, ଗୁଡ୍ଡୁ, ବିଜୁ ବଡ଼ଜେନା, ମିହିର ଦାସ, ପ୍ରତିଭା ପଣ୍ଡା ପ୍ରମୁଖ ଏ ଫିଲ୍ମରେ ଅଭିନୟ କରିଛନ୍ତି ।
