ଭୁବନେଶ୍ୱର : ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନିଖୋଜ ନାଟକରେ ଜବନିକା ପଡିଛି । ନିଖୋଜ ଅଭିଯୋଗର ମାତ୍ର କେଇଘଣ୍ଟା ପରେ ଠାବ ହୋଇଛନ୍ତି ନବୀନ । କୋଲକାତାରୁ ନିଖୋଜ ହେବାର କେଇ ଘଣ୍ଟା ପରେ ସନ୍ଧ୍ୟାରେ ଠାବ ହୋଇଛନ୍ତି। ପୂର୍ବତନ ବିଧାୟକଙ୍କ ପତ୍ତା ମିଳିଥିବା ନେଇ ତାଙ୍କ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଛନ୍ତି। ସମ୍ବିତ କହିଛନ୍ତି ବାପା ଆଜି କୋଲକାତାରୁ ଫେରିବେ। ବର୍ତ୍ତମାନ ସେ ହୋଟେଲ ରୁମ୍ରେ ଅଛନ୍ତି । ଶ୍ରୀ ନନ୍ଦ କୌଣସି ଏ କାର୍ଯ୍ୟରେ କଲିକତା ଯାଇଥିଲେ । ସେଠାରେ ଏକ ହୋଟେଲ୍ରେ ସିଏ ରହୁଥିଲେ । ତାଙ୍କର ଆଜି ସକାଳ ୭ଟାରେ ବିମାନରେ ଫେରିବାର ଥିଲା । କିନ୍ତୁ ସେ ନ ଫେରିବାରୁ ତାଙ୍କ ପରିବାର ପକ୍ଷରୁ ଫୋନ୍ କରାଯାଇଥିଲା । ହେଲେ ତାଙ୍କ ଫୋନ୍ ବନ୍ଦ ଥିଲା । ଅନ୍ୟପଟରେ ସେ କଲିକତାରେ ଯେଉଁ ହୋଟେଲ୍ରେ ରହୁଥିଲେ ସେଠାରେ ତାଙ୍କ ଜିନିଷ ପତ୍ର ଥିଲା । ହୋଟେଲ୍ରେ ଜିନିଷ ପତ୍ର ରହିବା ଓ ଦୀର୍ଘ ସମୟ ଧରି ଫୋନ୍ ବନ୍ଦ ରହିବା ପରେ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ଘନିଭୂତ ହୋଇଥିଲା । ବାପାଙ୍କର କୌଣସି ଖୋଜ ଖବର ଦୀର୍ଘ ସମୟ ଧରି ନ ମିଳିବା ପରେ ପୁଅ ସମ୍ବିତ ତାଙ୍କୁ ଖୋଜିବା ପାଇଁ କଲିକତା ଯାଇଥିଲେ । ତେବେ ତାଙ୍କର ନିଖୋଜ ଖବର ପାଇ ନବୀନଙ୍କ ପୁଅ ସମ୍ବିତ କୋଲକାତାର ସେକ୍ସପିଅର ଶରଣୀ ଥାନାରେ ଏତଲା ଦେଇଥିଲେ । ନବୀନଙ୍କ ନିଖୋଜକୁ ଗୁରୁତର ସହ ନେଇ କୋଲକାତା ପୋଲିସ ଅନୁସନ୍ଧାନ କରି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ନବୀନଙ୍କ ଉପରେ ଆକ୍ରମଣ ହୋଇଥିଲା । ଢେଙ୍କାନାଳରେ ସେ ତାଙ୍କ ଗାଡ଼ିରେ ଫେରିଲା ବେଳେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ଏହି ଘଟଣାରେ ସେ ଥାନାରେ ଏତଲା ଦେଇଥିଲେ ।
