ଭୁବନେଶ୍ୱର:କିଛିଦିନ ପୂର୍ବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ ଯେ, ଯୁକ୍ତ ୨ ପ୍ରଥମ ବର୍ଷ ପାସ୍ କରିବାକୁ ହେଲେ ୩୩ପ୍ରତିଶତ ମାର୍କ ରଖିବାକୁ ପଡିବ । ନଚେତ୍ ଯୁକ୍ତ ୨ କୁ ଉତୀର୍ଣ୍ଣ ହେବା ପାଇଁ ପୁଣିଥରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡିବ । ମାତ୍ର ଏହି ନିଷ୍ପତିକୁ ପରିବର୍ତନ କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ଚଳିତ ବର୍ଷ ଏହି ନିୟମ ଲାଗୁ ହେବ ନାହିଁ । ଆଗାମୀ ବର୍ଷ ପାସଫେଲ ନିୟମ ଲାଗୁ ହେବ ।
ସେ କହିଛନ୍ତି ଯେ ଯୁକ୍ତ୨ ପ୍ରଥମ ବର୍ଷରେ ପରୀକ୍ଷା ବ୍ୟବସ୍ଥା ଆଗରୁ ରହିଆସିଛି। ଏଥର ସେମିତି କିଛି ବଡ଼ ନିଷ୍ପତି ନିଆଯାଇ ନଥିଲା। ବରଂ ପିଲାମାନେ କିଭଳି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ୩୩% ମାର୍କ ରଖିବା ବାଧ୍ୟତାମୂଳକ ହୋଇଥିଲା। ଏଥିସହ ପିଲାଙ୍କୁ ଦୁଇଟି ସୁଯୋଗ ଦେବାକୁ ବି ଚିନ୍ତା କରାଯାଇଥିଲା। ତେବେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ନଥିବା କହିଥିଲେ। ତେଣୁ ଚଳିତବର୍ଷ ଏହି ନିଷ୍ପତିକୁ କୋହଳ କରିବାକୁ ବିଭାଗ ସ୍ଥିର କରିଛି। ତେବେ ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଯେଉଁ ପିଲାମାନେ ପ୍ରଥମ ବର୍ଷରେ ୩୩ ପ୍ରତିଶତ ମାର୍କ ନ ରଖିବେ ସେମାନେ ଦ୍ବିତୀୟ ବର୍ଷକୁ ଉନ୍ନିତ ହୋଇପାରିବେ ନାହିଁ।
ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ଏଭଳି ଘୋଷଣା ପରେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ମିଳିଛି। ନିଷ୍ପତି କାର୍ଯ୍ୟକାରୀ ନ କରିବା ଦାବିରେ ଗତ ସପ୍ତାହରେ ଭୁବନେଶ୍ବରର ବିଭିନ୍ନ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଛାତ୍ରଛାତ୍ରୀ ପର୍ଯ୍ୟାୟକ୍ରମେ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ କରିବା ସହ ପୋଡ଼ାଜଳା କରିଥିଲେ। ପରିଣାମସ୍ବରୂପ ଗଣଶିକ୍ଷା ବିଭାଗ ପୂର୍ବ ନିଷ୍ପତିରୁ ଓହରିଛି। ଏଥର ଯୁକ୍ତ୨ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ପାସ୍ କିମ୍ବା ଫେଲ୍ ହେଲେ କିଛି ଅସୁବିଧା ନାହିଁ। ସେମାନେ ସିଧାସଳଖ ଯୁକ୍ତ୨ ଦ୍ବିତୀୟ ବର୍ଷକୁ ଉନ୍ନିତ ହେବେ ଏବଂ କ୍ଲାସ୍ କରିବେ।
