ପାରାଦୀପରେ ତାଇୱାନ କମ୍ପାନୀ ସିପିସି କର୍ପୋରେସନ୍ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ,ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ତାଇୱାନ ଅଧିୀକାରୀ

ଭୁବନେଶ୍ୱର : ପାରାଦୀପରେ ତାଇୱାନ କମ୍ପାନୀ ସିପିସି କର୍ପୋରେସନ୍ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଇୱାନ୍ ସିପିସି କର୍ପୋରେସନ୍ର ସଭାପତି ସୁନ-ଚିନ୍ ଲିଙ୍କ ନେତୃତ୍ୱରେ ବ୍ୟବସାୟିକ ପ୍ରତିନିଧି ଦଳ ଏ ସମ୍ପର୍କରେ ଭେଟି ଆଲୋଚନା କରିଛନ୍ତି । ପାରାଦୀପରେ ତାଇୱାନ ସିପିସି କର୍ପୋରେସନ୍ କମ୍ପାନୀ ଏକ ପେଟ୍ରୋଲିୟମ କ୍ରାକର୍ କମ୍ପାନୀ ପ୍ରତିଷ୍ଠା କରିବ ବୋଲି ଆଲୋଚନାରୁ ଜଣାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ପାରାଦୀପରେ ପେଟ୍ରୋଲିୟମ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା ଦିଗରେ ସହାୟକ ହେବ । ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ । ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶାରେ ଯଥେଷ୍ଟ ସୁଯୋଗ ରହିଛି । ପୁଞ୍ଜିନିବେଶ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହିଆସିଛି । ରାଜ୍ୟର ଶିଳ୍ପବିକାଶ ଯୋଜନା-୨୦୨୫ ଅନୁଯାୟୀ ୬ଟି ପ୍ରମୁଖ ଫୋକସ୍ କ୍ଷେତ୍ର ମଧ୍ୟରେ କେମିକାଲ ଓ ପେଟ୍ରୋକେମିକାଲ୍ କ୍ଷେତ୍ର ସ୍ଥାନିତ ହୋଇଛି । ଏହି କ୍ଷେତ୍ରରେ ବିକାଶ ପାଇଁ ଏକ ଉତ୍ତମ ବ୍ୟବସାୟିକ ପରିବେଶ, ଭିତ୍ତିଭୂମି ଓ ସୁଦକ୍ଷ ମାନବ ସମ୍ବଳ ଯୋଗାଇ ଦେବା ହେଉଛି ରାଜ୍ୟର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ଓଡ଼ିଶା ଓ ତାଇୱାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ସହଯୋଗ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ । କମ୍ପାନୀର ସଭାପତି ଶ୍ରୀ ଲି ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସିପିସି କର୍ପୋରେସନ୍ର ଅଧ୍ୟକ୍ଷ ଶ୍ରୀ ଲିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ । ପେଟ୍ରୋଲରୁ ବାହାରୁଥିବା ଉଦବୃତ୍ତ ପଦାର୍ଥରୁ ଏହି ଜାତୀୟ ଶିଳ୍ପ ପ୍ରତିଷ୍ଠା ନେଇ ତାଇୱାନ୍ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଗତକାଲି ଏହି ପ୍ରତିନିଧି ଦଳ ପାରାଦୀପ ଗସ୍ତ କରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.